କରୋନା ସତର୍କତା : ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ମଧ୍ୟରାତ୍ରରୁ ଘରୋଇ ବିମାନ ଚଳାଚଳ ବନ୍ଦ

1,585

କନକ ବ୍ୟୁରୋ : କରୋନା ପାଇଁ ରେଳ ପରେ ଘରୋଇ ବିମାନ ଚଳାଚଳ ବନ୍ଦ । ଭାରତରେ ଦିନକୁ ଦିନ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସରକାର ବୃଦ୍ଧି ପାଉଥିବା ମାମଲା ଉପରେ ଯାଞ୍ଚ କରିବା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।  ଭାରତରେ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଘରୋଇ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି । ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ । ଏ ନେଇ ସମସ୍ତ ବିମାନର ଉଡାଣ ଓ ଅବତରଣ ସମୟକୁ ଧାର୍ଯ୍ୟ କରାଯିବ । ଯାହା ଦ୍ୱାରା ସମସ୍ତ ବିମାନ ୨୪.୦୩.୨୦୨୦ ତାରିଖ ରାତି ୧୧ଟା ୫୯ମିନିଟ ପୂର୍ବରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଅବତରଣ କରିବ ।

ମାଲ ପରିବହନ କରୁଥିବା ବିମାନ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ବୋଲି ଜଣା ପଡିଛି। ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀ କହିଥିଲେ , କରୋନା ଭାଇରସ ବିସ୍ତାର ମଧ୍ୟରେ ଘରୋଇ ବିମାନ ଉଡ଼ାଣ ବାତିଲ କରିବାକୁ ସରକାର ବିଚାର କରୁଛନ୍ତି ଏବଂ ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ସମେତ ଅନେକ ରାଜ୍ୟ ଘରୋଇ ବିମାନ ଚଳାଚଳ ବାତିଲ କରିବାକୁ ଦାବି କରିବା ପରେ ସରକାର ଏହା ଉପରେ ବିଚାର କରୁଥିବା ସେ କହିଥିଲେ । ବିଚାର ବିମର୍ଷ ପରେ ଏପରି ପଦକ୍ଷେପ ନେଇଛନ୍ତି ସରକାର ।