କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ କଲେ କେନ୍ଦ୍ର ସରକାର :  ତିନି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସହ ସ୍ଥାପନ ହେବ କୋଭିଡ୍ ହସ୍ପିଟାଲ

Advertisment
କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ କଲେ କେନ୍ଦ୍ର ସରକାର :  ତିନି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସହ ସ୍ଥାପନ ହେବ କୋଭିଡ୍ ହସ୍ପିଟାଲ

କନକ ବ୍ୟୁରୋ : କରୋନା ବିରୋଧରେ ଲଢେଇ କରୁଥିବା ଭାରତ ସରକାର ୧୫ ହଜାର କୋଟି ଟଙ୍କାର ଏକ କୋଭିଡ-୧୯ ଜରୁରୀକାଳିନ ପାଣ୍ଠି ଘୋଷଣା କରିଛନ୍ତି । ଏହା ହେଉଛି ୫ ବର୍ଷ ଅବଧିର ଏକ ଶତ ପ୍ରତିଶତ କେନ୍ଦ୍ରୀୟ ଯୋଜନା । ଜାତୀୟ ଓ ରାଜ୍ୟ ଓ ସ୍ତରରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ କରିବା ହେଉଛି ଏହି ପାଣ୍ଠିର ମୂଳ ଲକ୍ଷ୍ୟ । ଏହି ସ୍କିମର ନାମ ରଖାଯାଇଛି କୋଭିଡ-୧୯ ଜରୁରୀକାଳୀନ ପ୍ରଶମନ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ । ଏହାକୁ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୨୦୨୦ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଓ ତୃତୀୟ ପର୍ଯ୍ୟାୟର ସୀମା ହେଉଛି ୨୦୨୧ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ । ଏହି ପାଣ୍ଠିର ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକ ମଧ୍ୟରେ ଭାଗ କରାଯିବ । ଜାତୀୟ ସ୍ବାସ୍ଥ୍ୟ ମିସନ ତରଫରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, କୋଭିଡ୍‌-୧୯ର ପ୍ରତିରୋଧ ଓ ମୁକାବିଲା ଲାଗି ପ୍ରସ୍ତୁତି, ଆବଶ୍ୟକ ମେଡିକାଲ ଉପକରଣ ମଗାଇବା, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା, ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ପରୀକ୍ଷାଗାର ଓ ଜୈବ ନିରାପତ୍ତା ପ୍ରସ୍ତୁତି ପାଇଁ ଜାତୀୟ ଓ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି କୋଭିଡ୍‌-୧୯ ଜରୁରୀକାଳୀନ ପାଣ୍ଠି ସ୍ଥାପନ କରାଯାଇଛି। ଏହି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲ୍, ସରକାରୀ ଆମ୍ବୁଲାନ୍ସକୁ ଜୀବାଣୁମୁକ୍ତ କରିବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଓ ଏନ୍‌-୯୫ ମାସ୍କ କିଣିବା ବାବଦରେ ପାଣ୍ଠିରୁ ଜାରି କରାଯିବାକୁ ଥିବା ଅର୍ଥ ବ୍ୟୟ କରାଯିବ।

କରୋନା ମୁକାବିଲା ଲାଗି ଏହା ପୂର୍ବରୁ ବିଶ୍ବବ୍ୟାଙ୍କ ତରଫରୁ ଭାରତକୁ ୧ ବିଲିଅନ ଡଲାରର ଜରୁରୀକାଳୀନ ପାଣ୍ଠି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଏହି ଭୂତାଣୁ ମୁକାବିଲାରେ ରାଜ୍ୟଗୁଡ଼ିକୁ ସଶକ୍ତ କରିବା ଲାଗି ଗତ ସପ୍ତାହରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୧୧,୦୯୨ କୋଟି ଟଙ୍କା ଦେଇଛନ୍ତି। ଏହି ବିଶ୍ବ ମହାମାରୀର ମୁକାବିଲା ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କେୟାରସ୍‌ ପାଣ୍ଠି ଗଠନ କରିଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରିବା ଲାଗି ଜନସାଧାରଣ ଓ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ସାଂସଦ ଅନୁଦାନ ପାଣ୍ଠିକୁ ଦୁଇ ବର୍ଷ ସ୍ଥଗିତ ରଖାଯାଇ ସେହି ଅର୍ଥକୁ ମଧ୍ୟ କରୋନା ମୁକାବିଲାରେ ଖର୍ଚ୍ଚ କରିବାକୁ ଘୋଷଣା କରାଯାଇଛି। ମନ୍ତ୍ରୀ ଓ ସାଂସଦମାନଙ୍କ ବେତନରେ ୩୦% ହ୍ରାସ ଘୋଷଣା କରାଯାଇଛି। ରାଜ୍ୟଗୁଡ଼ିକ ବରିଷ୍ଠ ଅଧିକାରୀମାନଙ୍କ ଦରମା କମ୍ କରୁଥିବା ବେଳେ ଋଣ ସୀମାକୁ ବଢ଼ାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe