ଭିନିଲ କ୍ରୀଷ୍ଣାଙ୍କ ଅପହରଣର ୭ ବର୍ଷ ପରେ ଫେରିଲା ସାହସ ! ବିଚ୍ଛିନ୍ନାଂଚଳରେ ପଂଚିଲା ମାଲକାନଗିରି ଜିଲ୍ଲା ପ୍ରଶାସନ

38

କନକ ବ୍ୟୁରୋ : ଭିନିଲ କ୍ରୀଷ୍ଣା ଅପହରଣ ଘଟଣାର ୭ ବର୍ଷ ପରେ ବିଚ୍ଛିନ୍ନାଂଚଳବାସୀଙ୍କ ନିକଟରେ ପହଁଚିଲା ପ୍ରଶାସନ । ଦୁର୍ଗମ ଯୋଡାମ୍ବ ପଂଚାୟତ ଠାରେ ଏକ ଜନ ସମ୍ପର୍କ ଶିବିରର ଆୟୋଜନ କରି ଲୋକଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିଛି ସରକାରୀ କଳ । ସିଙ୍ଗିଲ ୱିଣ୍ଡୋ ପ୍ରୋଗ୍ରାମ ଜରିଆରେ ଯୋଡାମ୍ବ ସମେତ ବିଚ୍ଛିନ୍ନାଂଚଳର ୫ ଟି ପଂଚାୟତ ର ଗ୍ରାମବାସୀ ଯୋଗଦେଇ ଥିବାବେଲେ ୨୨୨ ଜଣ ହିତାଧାକାରୀଙ୍କୁ ବିଧବା ଭତା, ବାର୍ଦ୍ଧକ୍ୟ ଭତା ଆଦି ସାମଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡିିଛି ।

୭ ବର୍ଷ ପରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଜୋଡାମ୍ବ ପଂଚାୟତରେ ପହଁଚିଛନ୍ତି ସରକାରୀ ବାବୁ । ସିଙ୍ଗିଲ ୱିଣ୍ଡୋ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକୀରଙ୍କୁ ସରାକାରୀ ସହାୟତା ପ୍ରଦାନ କରିବାକୁ ଜନ ସମ୍ପର୍କ ଶିବିର କରିଛି ଜିଲ୍ଲା ପ୍ରଶାସନ । ୨୦୧୧ ମସିହା ଫେବୃଆରୀରେ ତତକାଳିନ ଜିଲ୍ଲାପାଳ ଆର.ଭିନିଲ କ୍ରୀଷ୍ଣାଙ୍କୁ ମାଓବାଦୀ ଅପହରଣ ଅପହରଣ କରିବା ପରେ ବିଚ୍ଛିନ୍ନାଂଚଳରେ ଏହା ହେଉଛି ପ୍ରଥମ ଜନ ସଂପର୍କ ଶିବିର । ଜୋଡାମ୍ବାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋଡାମ୍ବ ସମେତ ଅଣ୍ଡ୍ରାପାଲି, ଗାଜଲମାମୁଡି, ପଣସପୁଟ ଓ ଯନ୍ତ୍ରୀ ପରି ୫ ଟି ପଂୟାତର ୨୨୨ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ସମେତ ଖଇରପୁଟର ବଣ୍ଡାଘାଟି ଓ ମାଥିଲି ବ୍ଲକ ସାଲିମି–କିଆଙ୍ଗ ପରି ଅତିଦୁର୍ଗମ ଅଂଚଳରେ ୭ଟି ଜନ ସମ୍ପର୍କ ଶିବିର ଆୟୋଜନର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ମାଓ ଅଧ୍ୟୁଷିତ ଦୁର୍ଗମ ଅଂଚଳକୁ ବଡବଡିଆ ଅଫିସରଙ୍କୁ ନ ପଠାଇ କ୍ଷେତ୍ରକର୍ମଚାରୀଙ୍କୁ ପଠାଇ ଅତି ଚତୁରତାର ସହ କାମ ସାରିଛି ଜିଲ୍ଲା ପ୍ରଶାସନ । ମାଓବାଦୀଙ୍କ ଭୟ ଯୋଗୁ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ପଂଚାୟତରେ ଏଯାଏଁ ପଂଚାୟତ ନିର୍ବାଚନ ହୋଇପାରି ନାହିଁ । ଜନ ପ୍ରତିନିଧି ସମେତ ସରକାରୀ ବାବୁଙ୍କ ପାଦ ବିଚ୍ଛିନ୍ନାଂଚଳରେ ପଡୁନ ଥିବାରୁ ଏହି ଜନ ସମ୍ପର୍କ ଶିବିର ବେଶ ଗୁରୁତ୍ୱ ବହନ କରୁଛି ।