ଚୀନ୍ ଓ ପାକିସ୍ତାନକୁ କଡ଼ା ଜବାବ ଦେବ ‘ଆକାଶ’ : ବାୟୁସେନାର ଶକ୍ତି ବଢ଼ାଇବା ପାଇଁ ଅତିରିକ୍ତ ୫୦୦୦ କୋଟି ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କଲେ ମୋଦି ସରକାର

1,361
କନକ ବ୍ୟୁରୋ : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ବାୟୁସେନାର ଶକ୍ତି ବଢ଼ାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ମୋଦି ସରକାର । ପାକିସ୍ତାନ ଓ ଚୀନ ଭାରତ ଉପରେ ସବୁବେଳେ କଡ଼ା ନଜର ରଖୁଛନ୍ତି । ସୀମାରେ ଗୋଟିଏ ପଟେ ପାକିସ୍ତାନୀ ସେନା ଓ ଅନ୍ୟପଟେ ଚୀନ ସେନା ବଳ ବଢ଼ାଇବାରେ ଲାଗିଛନ୍ତି । ଅନ୍ୟପଟେ ସୀମାରେ ଗତକାଲି ଅଧିକ ସେନା ମୁତୟନ କରି ଉତ୍ତେଜନାକୁ ଆହୁରି ବଢାଇ ଦେଇଛି ପାକିସ୍ତାନ । ଏହାକୁ ଆଖିରେ ରଖି ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି ମୋଦି ସରକାର । ଏହି ପରିପେକ୍ଷୀରେ ଭାରତ ମଧ୍ୟ କଡ଼ା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶୀ ନିର୍ମିତ ଅକାଶ ମିସାଇଲର ୬ ସ୍କ୍ୱାର୍ଡ଼ନକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଆଉ ଏଥିପାଇଁ ଅତିରିକ୍ତ ୫୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ପାକିସ୍ତାନ ଓ ଚୀନ ସୀମାରେ ମୁତୟନ କରାଯିବ ଆକାଶ ମିଶାଇଲର ୬ ସ୍କ୍ୱାର୍ଡ଼ନ  । ଉଭୟ ଦେଶରୁ ଜଗିବ ‘ଆକାଶ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲାରେ ନିକଟରେ କ୍ୟାବିନେଟ କମିଟି ଏହି ପ୍ରକଳ୍ପକୁ ସହମତି ପ୍ରଦାନ କରିଥିଲା । ସୂଚନା ଅନୁସାରେ ଏହି ମିସାଇଲ ସିଷ୍ଟମ କିଣିବାକୁ ୩ ବର୍ଷ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ଆଉ ଏବେ ୩ ବର୍ଷ ପରେ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି ।  ତେବେ ବର୍ତ୍ତମାନ ମୋଦି ସରକାରଙ୍କ ମଞ୍ଜୁରୀ ପ୍ରଦାନ ପରେ ବାୟୁସେନା ନିକଟରେ ଆକାଶ ମିସାଇଲ ସିଷ୍ଟମ ସଂଖ୍ୟା ୧୫ ହୋଇଯିବ ।
ଗତ ବର୍ଷ ଇସ୍ରାଏଲ ସହ ସୂର୍ଯ୍ୟଲଙ୍କା ଯୁଦ୍ଧ ଅଭ୍ୟାସ ସମୟରେ ଆକାଶ ଡିଫେନ୍ସ ସିଷ୍ଟମର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା ।  ଏହାସହ ବାଲାକୋଟ ଷ୍ଟ୍ରାଇକକୁ ଦୃଷ୍ଟିରେ ରଖି ମଧ୍ୟ ‘ଆକାଶ’ ମିସାଇଲ ଜ୍ଞାନକୌଶଳର ଆବଶ୍ୟକତା ଅନୁଭବ କରିଥିଲେ ମୋଦି ସରକାର । ଭାରତୀୟ ବାୟୁସେନାର ଶକ୍ତି ବଢ଼ାଇବା ପାଇଁ ଶେଷରେ  ଆକାଶ ମିସାଇଲ ସିଷ୍ଟମ ସଂଖ୍ୟା ବଢ଼ାଇବା ପଦେକ୍ଷପ ନେଇଛନ୍ତି ସରକାର ।