ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ, ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

692

କନକ ବ୍ୟୁରୋ : ସାରାଦେଶରେ ପିଆଜ ଦର ଅହେତୁକ ବୃଦ୍ଧିକୁ ନେଇ ଚିନ୍ତାରେ ସରକାର । ଏହାର ଦରବୃଦ୍ଧିର ମୁକାବିଲା କରିବାକୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ଦେଶ ଭିତରେ ପିଆଜ ସବୁ ଅଂଚଳରେ ଠିକ୍ ଢଙ୍ଗରେ ଯେପରି ମିଳିପାରିବ ସେ ନେଇ ଏହାର ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି । ପିଆଜ ଦର ଓ ଉପଲବ୍ଧତା ସମୀକ୍ଷା କରିବା ଅବସରରେ ଏପରି ନିଷ୍ପତି ନିଆଯାଇଛି । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଦେଶ ଭିତରେ ୫୬ହଜାର ୭ ଶହ ଟନ୍ ପିଆଜ ମହଜୁଦ୍ ରହିଛି । ସେଥିରୁ ୧୫ ଶହ ୨୫ ଟନ୍ ପିଆଜ ନାଫେଡ୍ ରେ ରହିଛି । ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ୍ ରଖିବାର ସୀମା ୧୦ ଟନ୍ ରଖାଯାଇଛି । ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା ୫୦ ଟନ୍ ରହିଛି । ଦେଶରୁ ପିଆଜ ରପ୍ତାନୀ ଉପରେ କଟକଣା ଲାଗିଥିବା ବେଳେ ଏହାର ଆମଦାନୀ ନିୟମକୁ କୋହଳ କରାଯାଇଛି । ଯେପରି ଦେଶକୁ ଅଧିକ ପିଆଜ ଆମଦାନୀ ହୋଇପାରିବ ସେନେଇ ପଦ କ୍ଷେପ ନିଆଯାଉଛି । ଅଧିକ ପରିମାଣର ପିଆଜ ଭାରତକୁ ପଠାଇବା ପାଇଁ ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଏବଂ ଇରାନରେ ଥିବା ଭାରତୀୟ ମିସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ପଟେ ବାତ୍ୟା ଆସୁଥିବା ଖବର ଆସିବା ପରେ ପରେ ଓଡିଶାରେ ମଧ୍ୟ ପିଆଜ ଦର ବୃଦ୍ଧି ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି । ପିଆଜ କେଜି ବଜାରରେ ୬୦ରୁ ୭୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି ।