ସାଂସଦଙ୍କ କଥା ଶୁଣିଲାନି ପୋଲିସ୍ : ପଡ଼ୋଶୀଙ୍କ ଉତ୍ପାତ ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଟ୍ୱିଟ କରି ସାହାଯ୍ୟ କରିବାକୁ କମିସନରେଟ୍ ପୋଲିସକୁ ଅନୁରୋଧ କଲେ ଅନୁଭବ

2,838

କନକ ବ୍ୟୁରୋ : ସାଂସଦଙ୍କ କଥା ଶୁଣିଲାନି ପୋଲିସ୍ । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼୍ ଅଭିନେତା ସାଂସଦଙ୍କ ଅଭିଯୋଗକୁ ପୋଲିସର ଅଣଦେଖା । ପଡ଼ୋଶୀଙ୍କ ଉତ୍ପାତ ନେଇ ଅନୁଭବ ମହାନ୍ତି ଗତ ରାତିରେ ଅଭିଯୋଗ କରିଥିଲେ । ଘଟଣା ଘଟିବାର, ଏତେ ସମୟ ବିତିଯାଇଥିଲେ ହେଁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛି । ଉତ୍ପାତ କରୁଥିବା ଯୁବକଙ୍କୁ ଗିରଫ କରିବା ବଦଳରେ କଟକ ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । ଘଟଣାକୁ ନେଇ ଆଜି ଟ୍ୱିଟରରେ କମିସନରେଟ୍ ପୋଲିସର ସାହାଯ୍ୟ ଭିକ୍ଷା କରିଛନ୍ତି ଅନୁଭବ ।

ସୂଚନା ଅନୁସାରେ ଗତ ରାତିରେ ଅନୁଭବ ମହାନ୍ତିଙ୍କ ନନ୍ଦିସାହି ସ୍ଥିତ ବାସଭବରେ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ । ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ । କ’ଣ ହେଲା ବୋଲି ପଚାରିଥିଲେ । ହେଲେ ଗଣ୍ଡଗୋଳ କରିଥିବା ଯୁବକ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ନେଇ ଅନୁଭବ ମହାନ୍ତି ପୋଲିସଙ୍କୁ ଫୋନ୍ କରିଥିଲେ ହେଁ, ବିଳମ୍ବରେ ପହଞ୍ଚିଥିଲା ପୋଲିସ୍ । ବିଳମ୍ବରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନଥିଲା । ଏପରିକି ଓଲଟି ସାଂସଦ ଅନୁଭବ ମହାନ୍ତିଙ୍କୁ କଟକ ପୂରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥଲେ ।

ପ୍ରତ୍ୟେକ୍ଷଦର୍ଶୀଙ୍କ ମାନେ ମଧ୍ୟ ସମାନ କଥା କହୁଛନ୍ତି । ସ୍ଥାନୀୟ ଲୋକଙ୍କର କିଛି ଭିଡ଼ିଓ ଓ ପ୍ରତ୍ରିକ୍ରିୟା ମଧ୍ୟ ସାଂସଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାସହ ଏହି ଘଟଣାକୁ ନେଇ କମିସନରେଟ୍ ପୋଲିସକୁ ଟ୍ୟାଗ୍ କରି ସାହାଯ୍ୟ ଭିକ୍ଷା କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଇଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି , ପୋଲିସ ଯେଉଁଠି ସାଂସଦଙ୍କ କଥା ଶୁଣୁନି , ସାଧାରଣ ଲୋକଙ୍କ କଥା ବୁଝିବ କିଏ ।