ଗ୍ୟାଙ୍ଗଷ୍ଟର ଗୋଲଡେନ୍ ପପୁ ସମେତ ଟିଟୋର ୪ ସହଯୋଗୀଙ୍କୁ ଗିରଫ କଲା ଏସଟିଏଫ୍ : ପପୁ ନାଁରେ ରହିଛି ୧୦ରୁ ଅଧିକ ସଂଗୀନ ମାମଲା

41

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ସାର୍ପ ସୁଟର ଗୋଲଡେନ୍ ପପୁକୁ ଗିରଫ କରିଛନ୍ତି ଏସଟିଏଫ୍ । ଟିଟୋର ଇସାରାରେ ରକ୍ତର ନଦୀ ବୁହାଇ ଦେବାକୁ ପଛାଉ ନଥିଲା ଏହି ଅପରାଧୀ । ଗୋଲଡେନ୍ ପପୁ ନାଁ ରେ ରହିଛି ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଭଳି ୧୦ରୁ ଅଧିକ ସଂଗୀନ ମାମଲା । ଏହସହ ଗ୍ୟାଙ୍ଗଷ୍ଟର ଟିଟୋର ୪ ସହଯୋଗୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେପଟେ ଟିଟୋ ନାଁରେ ଥିବା ୪ଟି ହତ୍ୟା ମାମଲାକୁ ପୁଣି ଥରେ ଖୋଲିବାକୁ କେନ୍ଦ୍ରାପଡ଼ା ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ ।

ଏସଟିଏଫ କବଜାରେ ଗୋଲଡେନ୍ ପପୁ ଓରଫ୍ ମହମଦ ଅବଦୁଲ୍ ଆସିଫ୍ । କଟକ ମେହେନ୍ଦୀପୁର ଅଂଚଳରୁ ଉଠାଇ ନେବା ପରେ ଆଜି ଗିରଫ କରିଛି ଏସଟିଏଫ୍ । କୁହାଯାଉଛି, ଗ୍ୟାଙ୍ଗଷ୍ଟର ଟିଟୋର ସାର୍ପସୁଟର ଭାବେ କାମ କରୁଥିଲା ଗୋଲଡେନ୍ ପପୁ । ଟିଟୋ ଇସାରାରେ ହତ୍ୟା ଓ ଅପହରଣ ଭଳି ବଡ଼ ବଡ଼ ଅପରାଧ ଘଟାଇବାକୁ ପଛାଉ ନଥିଲା ଏହି ଅପରାଧୀ । ତା’ ଠାରୁ ଟି-ସାମ୍ରାଜ୍ୟର ଅନେକ ଗୁମର ଜଣାପଡିବ ବୋଲି ଆଶା କରିଛି ତଦନ୍ତକାରୀ ଟିମ୍ ।

ବଛା ବଛା ଅଫିସରଙ୍କୁ ନେଇ ୧୦ଟି ଟିମ୍ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଟିଟୋର ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସଂଦେହରେ ୮ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ । ପଚରାଉଚରା ପରେ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗୋଲଡେନ୍ ପପୁ ସମେତ ବାଙ୍କା ବଜାରର ଇମତିଆଜ୍ ଖାନ୍, କେଶରପୁର ଅଂଚଳର ସେକ୍ ଅବଦୁଲ୍ଲା ଓ ଗହ୍ମାଡିଆର ଜାହାଙ୍ଗୀର ଖାନ୍କୁ ଗିରଫ କରାଯାଇଛି । ଗୋ-ମାଂସ ଚାଲଣ ଅଭିଯୋଗରେ ସେକ୍ ଅବଦୁଲ୍ଲା ଓ ଜାହାଙ୍ଗୀର ଖାନ୍ କିଛି ଦିନ ତଳେ ଗିରଫ ହୋଇଥିଲେ, ନିକଟରେ ଜାମିନରେ ଆସିଥିଲେ । କୁହାଯାଉଛି, ଟିଟୋର କଳା ସାମ୍ରାଜ୍ୟକୁ ବଢାଇବାରେ ରହିଛି ଏମାନଙ୍କ ହାତ ।

ସାମ୍ରାଜ୍ୟର ଟିକିନିକି ରହସ୍ୟ ଖୋଲିବାକୁ ତନାଘନା ଚଳାଇଛି ଏସଟିଏଫ୍ । ଯେଉଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନିଜ ଦଳର ମିଶାଇ ଟିଟୋ ଆତଙ୍କରାଜ ଚଳାଇଥିଲା, ସେମାନେ ଏବେ ଏସଟିଏଫର ଟାର୍ଗେଟରେ ।

ଟିଟୋକୁ ତିନିଟି ଦଫାରେ ୧୨ ଦିନ ରିମାଣ୍ଡରେ ଆଣି ଜେରା କରିଥିଲା ଏସଟିଏଫ୍ । ଜେରା ବେଳେ ଟି-ସାମ୍ରାଜ୍ୟର ଅପରାଧ ଦୁନିଆ ଓ ବ୍ୟବସାୟିକ କାରବାର ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତରେ ଲାଗିଛି । ଟେଣ୍ଡର ଫିକ୍ସିଂ, ଦାଦାବଟି, ବାଲି ଚୋରାଚାଲଣ, ହତ୍ୟା, ଅପହରଣ ଭଳି ଅନେକ ମାମଲାରେ ଟିଟୋର ସଂପୃକ୍ତି ରହିଛି । ଏହାଛଡ଼ା ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ ମଧ୍ୟ ବେଶ ଲମ୍ବା । ଠିକାଦାରୀ, ପେଟ୍ରୋଲ୍ ପମ୍ପଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟ ବି ରହିଛି ଗ୍ୟାଙ୍ଗଷ୍ଟରର । ଏପରିକି ବିଶ୍ୱନାଥ ନାମକ ଓଡ଼ିଆ ସିନେମାରେ ମଧ୍ୟ ଲାଗିଛି ତା’ରି ଟଙ୍କା । ପତ୍ନୀ ବେନଜିର ଓ ୬ ଭାଇଙ୍କ ଜରିଆରେ ମଧ୍ୟ ବ୍ୟବସାୟ ଚଳାଇଥିଲା କେନ୍ଦ୍ରାପଡ଼ାର ଏହି ଗ୍ୟାଙ୍ଗଷ୍ଟର । ଟିଟୋ ଗ୍ୟାଙ୍ଗର ଗଭୀରତା ମାପିବା ପରେ ଏବେ ସହଯୋଗୀମାନଙ୍କୁ ଗିରଫ କରି ପୂରା ନେଟୱର୍କକୁ ତଦନ୍ତ ପରିସରକୁ ଆଣିବାକୁ ଚାହୁଁଛି ଏସଟିଏଫ୍ । ଜାଣିବାକୁ ମିଳିଛି, ସାରା ଓଡ଼ିଶାର ରହିଛି ଗ୍ୟାଙ୍ଗଷ୍ଟରର ନେଟୱର୍କ ।