ମାୟାନଗରୀ ମୁମ୍ୱାଇରେ ଗଣେଶ ପୂଜାର ଧୁମ୍ : ମୁମ୍ୱାଇର ମତୁଙ୍ଗାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସୁନାର ଗଣେଶ 

362

କନକ ବ୍ୟୁରୋ : ଗଣେଶ ଚତୁର୍ଥୀକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସାହ  । ସବୁଠି ବିଘ୍ନରାଜ ଗଜାନନଙ୍କ ଆବାହନ ପାଇଁ ଆୟୋଜନ । ପୁରପଲ୍ଲୀ , ସହର ବଜାର, ସ୍କୁଲ କଲେଜରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି  । ମାୟାନଗରୀ ମୁମ୍ୱାଇରେ ଦେଖିବାକୁ ମିଳିଛି ଗଣେଶ ପୂଜାର ଧୁମ୍ । ମୁମ୍ୱାଇର ବିଭିନ୍ନ ସ୍ଥାନରେ ଆଜି ଆୟୋଜିତ ହେଉଛି ବିଦ୍ୟାଦାତା ଗଜାନନଙ୍କ ପୂଜା । ଅନେକ ସ୍ଥାନରେ ମଣ୍ଡପରେ ଆକର୍ଷଣର କେନ୍ଦ୍ର ସାଜିଛି ମୂର୍ତ୍ତି । ମୁମ୍ୱାଇର ମତୁଙ୍ଗାରେ ଆକର୍ଷଣର କେନ୍ଦ୍ର ସାଜିଛି ସୁନାର ଗଣେଶ । ଦୀର୍ଘ ୬୫ ବର୍ଷ ଧରି ଏଠାରେ ପୂଜା ପାଇ ଆସୁଛନ୍ତି ପ୍ରଭୁ ଗଜାନନ ।

 

ପ୍ରତିବର୍ଷ ଭକ୍ତ ଏଠାରେ ମାନସିକ ରଖିଥାନ୍ତି । ଏହା ପୂରଣ ହେବା ପରେ ସୁନା ଓ ରୂପା ଠାକୁରଙ୍କୁ ଦାନ କରିଥାନ୍ତି । ଏହି ଦାନରେ ଚଳିତ ବର୍ଷ ୬୫ କେଜି ସୁନାର ଆଭୂଷଣ ଲାଗିଛି ସୁନା ଗଣେଶରେ । ସେହିପରି ମୂର୍ତିରେ ଲାଗିଛି ପ୍ରାୟ ୩୫୦ କେଜିର ରୂପା । ସୁନା ଓ ରୂପାର ଗଜାନନଙ୍କ ମୂର୍ତି ଦର୍ଶନ ସହିତ ପୂଜା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ବି ଦେଖିବାକୁ ମିଳିଛି । ବହୁସଂଖ୍ୟାରେ ମାନସିକଧାରୀ ଆସି ଏଠାରେ ପୂଜା କରୁଛନ୍ତି । ଖାସ୍ କରି ଆକର୍ଷଣୀୟ ସୁଉଚ୍ଚ ସୁନାର ଗଣେଶ ହିଁ ଏଠାକାର ମୁଖ୍ୟ ଆକର୍ଷଣ, ଯାହାକି ଭକ୍ତଙ୍କୁ ଟାଣି ଆଣିଥାଏ ।

 

ସେପଟେ ମୁମ୍ବାଇ ପରି ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଗଣେଶ ପୂଜାର ଧୁମ୍ । ଏଥର ବାଙ୍ଗାଲୋରରୁ ଆସିଛି ଗଣେଶ ପୂଜାର କିଛି ଉତ୍ସାହଜନକ ଖବର  । ବାଙ୍ଗାଲୋରର କିଛି ଶ୍ରଦ୍ଧାଳୁ ଏକାଠି ମିଶି ନିର୍ମାଣ କରିଛନ୍ତି ଇକୋ ଫ୍ରେଣ୍ଡଲି ଗଣେଶ ପ୍ରତିମୂର୍ତି   । ଏହାକୁ କେବଳ ୯ ହଜାର ନଡ଼ିଆ ଓ ୨୧ ପ୍ରକାର ଫଳମୂଳରେ ତିଆରି କରାଯାଇଛି  । ପ୍ରାୟ ୩୦ ଫୁଟ ଉଚ୍ଚର ଏହି ମୂର୍ତ୍ତି ତିଆରି କରିବାକୁ ପ୍ରାୟ ଏକମାସ ସମୟ ଲାଗିଛି  । ଯାହା ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି ।