କନକ ବ୍ୟୁରୋ : ଐତିହାସିକ ସ୍ତରରେ ପହଞ୍ଚିିଛି ସୁନାର ଦର । ୧୦ ଗ୍ରାମ ସୁନାର ମୂଲ୍ୟ ହେଲା ୪୦ହଜାର ଟଙ୍କା । ସୁନା ଦର ୧୦ ଗ୍ରାମ ପିଛା ୬୭୫ ଟଙ୍କା ବୃଦ୍ଧି ପାଇ ରେକର୍ଡ ସୃଷ୍ଟି କରିଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟକ ଲଢେଇ କାରଣରୁ ସୁନାର ଦର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । ଅନ୍ୟପଟେ ପାର୍ବଣର ଋତୁ ଆସୁଥିବାରୁ ସୁନା ଦରର ଦୈନିକ ମୁଲ୍ୟ ବୃଦ୍ଧି ଦେଖି ଗ୍ରାହକମାନେ କିଣିବାକୁ ଅମଙ୍ଗ ହେଉଛନ୍ତି ।
ଭାରତୀୟ ବଜାରରେ ସୁନା ଦର ସବୁ ରେକର୍ଡ ଭାଙ୍ଗି ୪୦ ହଜାର ଟଙ୍କାରେ ପହଞ୍ଚିଛି । ସପ୍ତାହେ ଧରି ସୁନା ଦର କ୍ରମାଗତ ବଢି ଚାଲିଛି । ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୯ ହଜାର ୬୯୦ ଥିବା ବେଳେ ଓଡିଶାରେ ପ୍ରାୟ ୪୦ ହଜାରରେ ପହଂଚିଛି । ଆଉ ଏହା ପଛର କାରଣ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ବୋଲି କୁହାଯାଉଛି । ଅର୍ନ୍ତଜାତୀୟ ବଜାରରେ ମାନ୍ଦାବସ୍ଥା ଯୋଗୁଁ ଷ୍ଟକ୍ ମାର୍କେଟରେ ନିବେଶ ଲାଭଜନକ ହେଉନଥିବା ମନେ କରି ନିବେଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଛି ସୁନା । ତେଣୁ ଷ୍ଟକ ବଜାର ବଦଳରେ ସୁନାରେ ବଢୁଛି ନିବେଶ । ଆଉ ଏହାରି ପ୍ରଭାବରେ ହୁ ହୁ ହୋଇ ବଢୁଛି ସୁନା ଦର ।
ବିବାହ ବ୍ରତ ହେଉ ବା ପର୍ବପର୍ବାଣୀ ସବୁଠି ସୁନାର ବେଶ ଚାହିଦା ରହିଛି । ଆଗକୁ ଧନତେରାସ୍ ଥିବା ବେଳେ ବର୍ଦ୍ଧିତ ସୁନା ଦର ଗ୍ରାହକଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି । ଆଉ ଝିଅ ବାହାଘର ପାଇଁ ଯୋଜନା କରୁଥିବା ପରିବାରରେ ପଡିଛି ଭାଳେଣୀ । ଗ୍ରାହକ ସୁନା ଦୋକାନ ଆସି ଦର ବୁଝିବା ପରେ କିଣିବାକୁ ଅମଙ୍ଗ ହେଉଥିବା କହିଛନ୍ତି ବ୍ୟବସାୟୀ ।
ସୁନାଦର ବଢିବାର ପ୍ରମୁଖ କାରଣ ଗୁଡିକ କଣ...
୧. ଘରୋଇ ବଜାରରେ ସୁନାର ଚାହିଦା ବଢିବା
୨. ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେବା
୩. ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ
୪. କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଅଧିକ ମାତ୍ରାରେ ସୁନା କିଣିବା
୫. ସୁଧହାର ହ୍ରାସ ମଧ୍ୟ ଆଉ ଏକ କାରଣ
ଆଗକୁ ମଧ୍ୟ ଏଭଳି ଭାବରେ ସୁନା ଦର ବଢି ଚାଲିବ ବୋଲି ବିଶେଷଜ୍ଞ ମତ । ଘରୋଇ ତଥା ଅନ୍ତର୍ଜାତୀୟ ବଜାରର ଉପରୁ ଅନିଶ୍ଚିତତାର ବାଦଲ ହଟୁ ନଥିବାରୁ ସୁନା ଦର ଆହୁରି ବୃଦ୍ଧି ହେବାନେଇ ଆଶଙ୍କା କରାଯାଉଛି ।