ଇରାନ୍, ଆମେରିକା ଯୁଦ୍ଧ ସ୍ଥିତି ମଧ୍ୟରେ ଆହୁରି ମହଙ୍ଗା ହେଲା ସୁନା : ୩ ଦିନରେ ୨୦୦୦ ଟଙ୍କା ବଢ଼ିଲା

978

କନକ ବ୍ୟୁରୋ : ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବରେ ସୁନା ମୂଲ୍ୟ ପ୍ରତିଦିନ ବଢ଼ୁଛି । ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୪୧,୮୧୦ ଟଙ୍କା ହୋଇଯାଇଛି । ଆନ୍ତର୍ଜାତିକ ବଜାରରେ ମଧ୍ୟ ଏହି ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ପାଉଛି । ସୁନା ମୂଲ୍ୟରେ ବୁଧବାର ୪୮୫ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ରୁପା ଦାମ୍‌ରେ ୮୫୫ ଟଙ୍କାର ବୃଦ୍ଧି ହୋଇଛି । ଏକ କିଲୋ ରୁପାର ଦାମ୍ ୪୯,୫୩୦ ଟଙ୍କା ହୋଇଯାଇଛି । ବିଗତ ତିନିଟି କାରବାର ଦିବସ ଭିତରେ ସୁନା ମୂଲ୍ୟ ୨୦୦୦ ଟଙ୍କା ବଢ଼ିଛି। ସେହି ସମୟରେ ରୁପା ଦାମ୍‌ରେ ୧୭୦୦ ଟଙ୍କାର ବୃଦ୍ଧି ଘଟିଛି ।

ଯଦି ବିଗତ ତିନି ସପ୍ତାହକୁ ହିସାବକୁ ନିଆଯିବ ତେବେ ସୁନା ମୂଲ୍ୟରେ ୩୦୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇସାରିଥିବା ଜଣାପଡ଼ିଛି । ବିଶ୍ବରେ ସଙ୍କଟ ଦେଖାଦେଲେ ସୁନା ମୂଲ୍ୟ ପ୍ରଥମେ ବୃଦ୍ଧି ପାଏ । ଏହାର କାରଣ ହେଉଛି ନିବେଶକମାନେ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ଅଧିକ ମାତ୍ରାରେ ସୁନା କିଣିଥାନ୍ତି । ସୁନାକୁ ଯେକୌଣସି ସମୟରେ ବିକ୍ରି କରାଯାଇପାରିବ । ଏହା ନିବେଶ ପାଇଁ ଏକ ସୁରକ୍ଷିତ ମାଧ୍ୟମ ମଧ୍ୟ। ସେଥିପାଇଁ ସୁନାର ଚାହିଦା ବଢ଼ିବା ସହ ଦାମ୍ ବଢ଼ୁଛି ।