ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଲା : କ୍ରମାଗତ ୩ୟ ଦିନ ପାଇଁ ହ୍ରାସ ପାଇଲା ସୁନା ଦର

720

କନକ ବ୍ୟୁରୋ :  ହ୍ରାସ ପାଇଲା ସୁନା ଦର । କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି । ଏହା ଫଳରେ ସୁନା ଦର ସ୍ୱାଭାବିକ ହେବାରେ ଲାଗିଛି । କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦ ହଜାର ତଳକୁ ଖସିଯାଇଛି ।

ଗତ କାଲି ସ୍ପଟ ବଜାରରେ ୯୭୦ ଟଙ୍କା ହ୍ରାସ ପାଇଥିବା ସୁନା ଆଜି ଆହୁରି ୨୭୧ ଟଙ୍କା ହ୍ରାସ ପାଇ ୩୯,୬୧୦ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୪୬,୩୬୫ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ଆଉନ୍ସ ପିଛା ୧୫୫୦ ଡଲାରକୁ ହ୍ରାସ ପାଇଛି । ଗୁରୁବାରଦିନ ଏହା ଆଉନ୍ସ ପିଛା ୧୫୬୧ ଡଲାରକୁ ଖସିଆସିଥିଲା । ରୁପା ମଧ୍ୟ ଆଉନ୍ସ ପିଛା ୧୮ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

କେବଳ ସ୍ପଟ ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ଫ୍ୟୁଚର ବଜାରର ଅର୍ଥ ହେଉଛି ଭବିଷ୍ୟତର କୌଣସି ଏକ ସମୟସୀମା ପାଇଁ ବର୍ତ୍ତମାନ ସମୟରେ ଦର ନିର୍ଦ୍ଧାରଣ । ଏମସିଏକ୍ସରେ ଫେବ୍ରୁଆରି ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୮୧ ଟଙ୍କା ହ୍ରାସ ପାଇ ୩୭,୭୪୯ ଟଙ୍କାରେ ପହଞ୍ଚିଛି ।