ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁନା ଉପରେ ଲଗାଯାଇଥିବା ଉଚ୍ଚ ହାରର ଆମଦାନୀ ଶୁଳ୍କକୁ କମ୍ କରିବା ଉପରେ ସରକାର ବିଚାର କରୁଛନ୍ତି । ଯଦି ଶୁଳ୍କ କମିବ ତେବେ ଆଗାମୀ ଦିନରେ ସୁନା ଶସ୍ତା ହେବ । ସୁନା ଆମଦାନୀ ଶସ୍ତା ହେଲେ ସ୍ଥାନୀୟ ବଜାରରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିବ । ସୁନାର ଯୋଗାଣ ବଢ଼ିବ ଏବଂ ଖୁଚୁରା ସୁନା ମଧ୍ୟ କମ୍ ଦାମରେ ଉପଲବ୍ଧ ହେବ । ଶୁଳ୍କ କମ୍ ହେଲେ ସୁନାର ଚୋରା ଚାଲାଣ ମଧ୍ୟ କମିଯିବ ବୋଲି କୁହାଯାଉଛି ।
ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନୋଜ ଦ୍ୱିବେଦୀ ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ କହିଛନ୍ତି ଯେ ବାଣିଜ୍ୟ ନିଅଣ୍ଟ କମ୍ ହୋଇଥିବାରୁ ଆମଦାନୀ ଶୁଳ୍କ କମ୍ କରିବା ଉପରେ ବିଚାର କରାଯାଉଛି । ଆମଦାନୀ ଶୁଳ୍କ କମ୍ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି ।ତେବେ ଶୁଳ୍କ ପରିମାଣ କେତେ ପ୍ରତିଶତ କମ୍ ହେବ ତାହା ସ୍ପଷ୍ଟ ହୋଇନାହିଁ । ଦେଶର ଚଳନ୍ତି ଖାତା ନିଅଣ୍ଟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯିବା ପରେ ୨୦୧୩ ଅଗଷ୍ଟରୁ ସୁନା ଆମଦାନି ଉପରେ ପର୍ଯ୍ୟାୟକ୍ରମେ ଆମଦାନୀ ଶୁଳ୍କ ବୃଦ୍ଧି କରି ୧୦% କରାଯାଇଛି ।
ଚଳିତ ବର୍ଷ ଜୁନ୍ରେ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ୧୨.୯୬ ବିଲିଅନ୍ ଡଲାରକୁ ଖସି ଆସିଛି । ଯେତିକି ଆଶା କରାଯାଉଥିଲା ବାଣିଜ୍ୟ ନିଅଣ୍ଟ ପରିମାଣ ତା’ଠାରୁ କମ୍ ହୋଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଚାହୁଁଛି ସୁନା ଆମଦାନି ଉପରେ ୨% ଶୁଳ୍କ ଲାଗୁ କଲେ ତାହା ଶିଳ୍ପ ପାଇଁ ଭଲ । ପର୍ଯ୍ୟାୟକ୍ରମେ କିମ୍ବା ଗୋଟିଏ ଥରରେ ଶୁଳ୍କ ପରିମାଣ କମ୍ କରାଯିବ, ସେ ବିଷୟରେ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇନାହିଁ । ଭାରତ ଏବେ ବର୍ଷକୁ ୮୦୦ ଟନ୍ ସୁନା ଆଇନଗତ ବାଟରେ ଆମଦାନି କରୁଛି । ଏହା ବାଦ ଚୋରାଚାଲାଣ ମଧ୍ୟ ହେଉଛି । ଭାରତର ଆମଦାନୀରେ ସୁନାର ଏକ ବଡ଼ ଭାଗ ରହିଛି। ସୁନା ଆମଦାନୀକୁ ନିରୁତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।