କନକ ବ୍ୟୁରୋ : ଗତକାଲି ଧନତେରସ୍ ଉପଲକ୍ଷେ ପ୍ରବଳ ଭିଡ଼ ଜମିଥିଲା ରାଜଧାନୀର ସମସ୍ତ ଗହଣା ଦୋକାନରେ । ସକାଳୁ ସୋ’ରୁମ୍ ଖୋଲିବା ପରେ ପରେ ଭିଡ଼ ଆରମ୍ଭ ହୋଇଯାଇଥିଲା ଏବଂ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା । ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାର ବେପାର ହୋଇଥିବା କୁହାଯାଉଛି । ସେଥିମଧ୍ୟରୁ କେବଳ ରାଜଧାନୀର ସୁନା ଦୋକାନ ଗୁଡ଼ିକରେ ଦୁଇ କ୍ୱିଣ୍ଟାଲ୍ରୁ ଅଧିକ ସୁନା ବିକ୍ରି ହୋଇଥିବା ଆକଳନ କରାଯାଇଛି ।
ରାଜଧାନୀ ଭୁବନେଶ୍ୱର ସମେତ କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଆଦି ସହରକୁ ମିଶାଇଲେ ସାରା ରାଜ୍ୟରେ ପାଖାପାଖି ୪ କ୍ୱିଣ୍ଟାଲ ସୁନା ଗହଣା ବିକ୍ରି ହୋଇଛି । ଫଳରେ ସାରା ରାଜ୍ୟରେ ଧନତେରସ୍ରେ ଅଳଙ୍କାର ସୋ’ରୁମ୍ ଗୁଡ଼ିକ ୧୨୦ କୋଟି ଟଙ୍କାରୁ ଅଧିକ ବେପାର କରିଛନ୍ତି । ଧନତେରସ୍ରେ ସୁନା ଓ ଅନ୍ୟ ମୂଲବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ଲୋକଙ୍କ ମଧ୍ୟରେ ରହିଥିବାରୁ ସୋ’ରୁମ୍ ଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ବ୍ୟାଙ୍କଗୁଡ଼ିକରେ ମଧ୍ୟ ସୁନା କଏନ୍ ବିକ୍ରି ହୋଇଥିବା ଜଣାପଡ଼ିଛି ।
ଗତବର୍ଷ ଧନ୍ତେରସ୍ରେ ସୁନା ବିକ୍ରି ପରିମାଣ ରାଜଧାନୀରେ ୬୦ କୋଟି ଟଙ୍କା ମଧ୍ୟରେ ରହିଥିଲା । ଏଥର ତା’ଠାରୁ ଅଧିକ ସୁନା ବିକ୍ରି ହୋଇଛି ବୋଲି ଏକ ପ୍ରମୁଖ ଗହଣା ସୋରୁମ୍ର ପ୍ରବନ୍ଧକ କହିଛନ୍ତି । ଗତବର୍ଷ ଭଳି ଏଥର ରାଜ୍ୟରେ ୪ କ୍ୱିଣ୍ଟାଲ୍ର ସୁନା ବିକ୍ରି ହୋଇଥିବା ନେଇ ସେ ଆକଳନ କରିଛନ୍ତି ।
ସୁନାର ୧୦ ଗ୍ରାମ ପିଛା ଦର ଭୁବନେଶ୍ୱରରେ ୩୦ ହଜାର ୧୩୦ ଟଙ୍କା ରହିଥିଲା । ସେହିପରି ରୁପାର କିଲୋଗ୍ରାମ ପିଛା ମୂଲ୍ୟ ୪୧ ହଜାର ୫୦୦ ଟଙ୍କା ଥିଲା । ବ୍ୟବସାୟୀଙ୍କ କହିବାନୁଯାୟୀ, ଗହଣା ଦୋକାନଗୁଡ଼ିକରେ ସବୁଠୁ ଅଧିକ ସୁନା ଗହଣା ବିକ୍ରି ହୋଇଥିବା ବେଳେ ଏହା ପଛକୁ ରହିଛି ହୀରା ଗହଣା । ରୁପା କାରବାର ତୃତୀୟ ସ୍ଥାନରେ ରହିଛି । ଗତବର୍ଷ ଧନତେରସ୍ ସମୟରେ ସୁନା ଦର ଯାହା ଥିଲା ଚଳିତବର୍ଷ ଧନତେରସରେ ମଧ୍ୟ ସେହି ଦର ରହିଛି ।
ଏକ ଗହଣା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ବିବାହ ଋତୁ ପାଖେଇ ଆସିଥିବାରୁ ଗ୍ରାହକମାନେ ସୋ’ରୁମ୍ରେ ଭିଡ଼ ଲଗାଇଛନ୍ତି । ଧନତେରସ୍ ଉପଲକ୍ଷେ ଦିଆଯାଉଥିବା ଅଫର ସେମାନଙ୍କୁ ସୁନା କିଣିବାକୁ ଟାଣି ଆଣିଛି । ଗତବର୍ଷ ତୁଳନାରେ ଏଥର ଭଲ ଭିଡ଼ ହୋଇଛି । ସବୁଠୁ ବେଶି ଭିଡ଼ ସୁନା କଏନ୍ କାଉଣ୍ଟର୍ରେ ଦେଖିବାକୁ ମିଳିଛି । ବିବାହକୁ ଦୃଷ୍ଟିରେ ରଖି ଗ୍ରାହକମାନେ ସୁନାର କାନ ଫୁଲ, ଚୁଡ଼ି, ଚେନ୍, ହାର, ନାକ ଫୁଲ ଆଦି ଅଧିକ ମାତ୍ରାରେ ଖରିଦ କରୁଥିବା ଦେଖାଯାଇଛି ।
ସୁନା ବଜାର କାରବାର ଉପରେ ନଜର ରଖୁଥିବା ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ ଚଳିତ ବର୍ଷ ଭଲ ବେପାର ହେବାର ଅନେକ କାରଣ ରହିଛି । ଲୋକମାନଙ୍କ ପାଖରେ ସୁନା କିଣିବାକୁ ଏଥର ଅଧିକ ନଗଦ ଟଙ୍କା ରହିଛି । ସୁନା କିଣିବା ଉପରେ ରହିଥିବା କଟକଣାକୁ ସରକାର କୋହଳ କରିଦେଇଛନ୍ତି । ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ପୂର୍ବରୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ଗହଣା ନଗଦ ଅର୍ଥରେ କ୍ରୟ କରିଲେ ଏଥିପାଇଁ ସେମାନଙ୍କୁ ପାନ୍କାର୍ଡ ଦେବା ସହିତ କେଓ୍ଵାଇସି ଫର୍ମ ପୂରଣ କରିବାକୁ ପଡ଼ୁଥିଲା । କିନ୍ତୁ ନିକଟରେ ସରକାର ଏହି ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ଗ୍ରାହକଙ୍କ ପାଇଁ ଗହଣା କିଣିବା ସହଜ ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ୨୫ ପାଖାପାଖି ବଡ଼ ସୁନା ଦୋକାନ ରହିଥିବା ବେଳେ ଛୋଟ ବଡ଼ ମିଶି ପ୍ରାୟ ୧୫୦ ସୋ’ରୁମ୍ ରହିଛି । ପ୍ରମୁଖ ସହରଗୁଡ଼ିକୁ ବିଚାରକୁ ନେଲେ ସାରା ରାଜ୍ୟରେ ସୋ’ରୁମ୍ ସଂଖ୍ୟା ୩୦୦ରୁ ଅଧିକ ହେବ । ପୁରୁଣା ଓ ପ୍ରତିଷ୍ଠିତ ସୋ’ରୁମ୍ରେ ଗ୍ରାହକମାନେ ଅଧିକ ଭିଡ଼ ରହିଥିଲା ।