ପାରିକରଙ୍କ ସ୍ଥାନରେ କିଏ ? ବିଜେପି ନେତା ପ୍ରମୋଦ ସାୱନ୍ତ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ

139

କନକ ବ୍ୟୁରୋ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ଖୋଜଛି । ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ପରେ ଭାରତୀୟ ଜନତା ପାର୍ଟି ମନ୍ଥନ ଆରମ୍ଭ କରିଦେଇଛି । ବିଜେପି ଅଧ୍ୟକ୍ଷ ଅମିତ ଶାହ, କେନ୍ତ୍ରମନ୍ତ୍ରୀ ନିତିନ ଗଡ଼କରି ଓ ଗୋଆ ବିଧାନସଭା ସ୍ପିକର ପ୍ରମୋଦ ସାୱନ୍ତ ସମେତ ବିଜେପି ବିଧାୟକ ବୈଠକ ପାଇଁ ପାଣାଜିର ଏକ ହୋଟେଲରେ ଏକାଠି ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ନିତିନ  ଗଡ଼କରି କହିଛନ୍ତି ମୁଁ ଦିଲ୍ଲୀ ଫେରିଯିବା ପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଯିବାବା ଭଲ ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ଅଛନ୍ତି  ବିଧାନସଭା ସ୍ପିକର ପ୍ରମୋଦ ସାୱନ୍ତ । ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତାଙ୍କ ନାମକୁ ନେଇ ବିଜେପି ଓ ସହଯୋଗୀ  ଦଳଙ୍କ ମଧ୍ୟରେ  ସହମତି ହୋଇଥିବା ଜଣାଯାଇଛି । ପରିକରଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଅସ୍ଥିରତା ଦେଖାଦେଇଥିଲା । କଂଗ୍ରେସ ରାଜ୍ୟ ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଥିଲା । ତେବେ ବିଜେପି ପକ୍ଷରୁ ମଧ୍ୟ ନିଜର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ପ୍ରମୋଦଙ୍କ ନାମରେ ସହମତି ସୃଷ୍ଟି ହୋଇଥିବା ଜଣାଯାଇଛି । ପରିକରଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପରେ ଯୋଗଦେବାକୁ ଆସିଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ସହଯୋଗୀ ଦଳମାନେ ସମର୍ଥନ ଜାରି ରଖିବାକୁ ରାଜି ହୋଇଥିଲେ ବୋଲି ଜଣାପଡିଛି । ଖୁବଶୀଘ୍ର ଏ ନେଇ ଦଳ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି ।