ଆଖି ସାମ୍ନାରେ ପାଣିରେ ବୁଡିଗଲା ବଢ଼ିଲା ଝିଅ : ଶତ ଚେଷ୍ଟା ସତ୍ୱେ ବଞ୍ଚାଇ ପାରିଲେନି ବୃଦ୍ଧ ବାପା

1,076

କନକ ବ୍ୟୁରୋ : ଫୁଲବାଣୀ ବ୍ଳକ ରୁଜାଙ୍ଗିରେ ଅଭାବନୀୟ ଘଟଣା । ବୃଦ୍ଧ ବାପା ସାମ୍ନାରେ ପୋଖରୀ ବୁଡି ବଢିଲା ଝିଅର ଜୀବନ ଯାଇଛି। ଫିରିଙ୍ଗିଆ ବ୍ଳକ ସାଡିଙ୍ଗିଆର ସଦାଶିବ କହଁର(୭୫) ମାନସିକ ଦୋଷ ଥିବା ଝିଅ ଅନସୂୟା(୨୫)କୁ ଧରି ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇ ସଦାଶିବ ଝିଅକୁ ଧରି ରୁଜାଙ୍ଗିର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ଆଜି ଗାଁକୁ ଯିବାର ଥିଲା । ଖାଇ ପିଇ ଯିବାକୁ ବନ୍ଧୁ କହିବାରୁ ସଦାଶିବ ଝିଅ ଅନସୂୟାକୁ ଧରି ଆଲାମି ପଞ୍ଚାୟତ ପିଟାବାରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ସଦାଶିବଙ୍କ ଅଲକ୍ଷ୍ୟରେ ଅନସୂୟା ପୋଖରୀ ଭିତରେ ପଶି ଏକ କଇଁ ଫୁଲ ତୋଳିବାକୁ ଯାଇ ବୁଡି ଯାଇଥିଲା । ସଦାଶିବ ବହୁ ଚେଷ୍ଠା କରି ବି ତାକୁ ଉଦ୍ଧାର କରି ପାରି ନଥିଲେ । ସେଠାରୁ ସଦାଶିବ ବନ୍ଧୁଙ୍କ ଘରକୁ ଦୌଡି ଘଟଣା ସମ୍ପର୍କରେ କହିଥିଲେ । ବନ୍ଧୁ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସୁଫଳ ନ ମିଳିବାରୁ ଶେଷରେ ଫୁଲବାଣୀ ଅଗ୍ନିଶମ ସଂସ୍ଥାର କର୍ମଚାରୀ ପହଞ୍ଚି ଅନସୂୟାକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାକୁ ନେଇ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଝିଅକୁ ହରାଇ ସଦାଶିବ ଭାଙ୍ଗି ପଡିଛନ୍ତି । କେଶ ନଂ ୧୬/୨୦୧୯ରେ ସଦର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।