ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ପରେ ଜେଲ୍ ଯାଇଥିଲା ଅଭିଯୁକ୍ତ । ଜାମିନ୍‌ରେ ଫେରିବା ପରେ ପୀଡ଼ିତାଙ୍କ ବାହାଘର ଭାଙ୍ଗିଦେଲା । ମାନସିକ ଭାରସାମ୍ୟ ହରାଇ ଯୁବତୀଙ୍କ ଆତ୍ମହତ୍ୟା

524

କନକ ବ୍ୟୁରୋ : ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ପରେ ଜେଲ୍ ଯାଇଥିଲା ଅଭିଯୁକ୍ତ। ହେଲେ ସେତିକିରେ ମନ ଶାନ୍ତି ହେଲାନାହିଁ । ଜାମିନ୍‌ରେ ଫେରିବା ପରେ ପୀଡ଼ିତାଙ୍କ ବାହାଘର ଭାଙ୍ଗିଦେଲା । ଅଭିଯୁକ୍ତର ଏପ୍ରକାର ଆଚରଣରେ ମାନସିକ ଭାରସାମ୍ୟ ହରାଇ ବସିଲେ ପୀଡ଼ିତା । ନିର୍ଯାତନା ସହି ନ ପାରି ଶେଷରେ ଆଜି ନିଜ ଘରେ ଜୀବନ ହାରିଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ଯୁବତୀ ।

ଅଭିଯୋଗ ମୁତାବକ, ନୀଳଗିରି ଉପଖଣ୍ଡ ମଛୁଆ ପଞ୍ଚାୟତର ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର ମୃତ୍ୟୁଞ୍ଜୟ ନାମକ ଜଣେ ଯୁବକ ଭଲ ପାଉଥିଲା । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଇଥିଲା ପ୍ରତାରକ ପ୍ରେମିକ। ମାମଲା କୋର୍ଟରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ମୃତ୍ୟୁଞ୍ଜୟ କିଛିଦିନ ତଳେ ଜେଲ୍ ମଧ୍ୟ ଯାଇଥିଲା। ନିକଟରେ ଜେଲରୁ ଫେରିବା ପରେ ପୀଡ଼ିତାଙ୍କୁ କେଉଁଠି ବାହା କରାଇ ଦେବନି କହି ଅଭିଯୁକ୍ତ ବାରମ୍ବାର ଧମକ ଦେଉଥିଲା ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

କିଛି ଦିନ ତଳେ ପୀଡ଼ିତାଙ୍କର ଅନ୍ୟତ୍ର ବାହାଘର ଠିକ୍ ହୋଇଥିବା ବେଳେ ମୃତ୍ୟୁଞ୍ଜୟ ତାକୁ ଭାଙ୍ଗି ଦେଇଥିଲା। ନିର୍ଯାତନା ଅସହ୍ୟ ହେବାରୁ ପୀଡ଼ିତା ଆଜି ଘରେ ଫାଶୀ ଲଗାଇ ଝୁଲିପଡ଼ିଥିଲେ। ପୀଡ଼ିତାଙ୍କ ମାଆ ଆଜି ନୀଳଗିରି ଡାକ୍ତରଖାନାରେ ଝିଅର ଦୁଃଖ କାହାଣୀ କହିବା ବେଳେ କାନ୍ଦି କାନ୍ଦି ଗଡ଼ିଯାଉଥିଲେ। ଏ ସମ୍ପର୍କରେ ଥାନାର ଆଶ୍ରୟ ନେବେ ବୋଲି ସେ କହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା।