କିଏ ଶୁଣିବ ପୂଜାରାଣୀର ଦୁଃଖ ? ମୁହଁରେ ମାଡ଼ି ଚାଲିଛି କଳା ଲୋମ, ଅର୍ଥଅଭାବରୁ ହୋଇପାରୁନି ଚିକିତ୍ସା

413

କନକ ବ୍ୟୁରୋ : ମୁହଁରେ ମାଡ଼ି ଚାଲିଛି ଲୋମ । ଅଧା ଗାଲ ଲୋମ ତଳେ ଲୁଚି ଯାଉଛି । ଜନ୍ମ ସମୟରେ ମୁହଁରେ କିଛି ଲୋମ ଥିଲା । ବୟସ ବଢ଼ିବା ସହ ଅସ୍ବାଭାବିକ ଭାବେ ତାହା ମାଡ଼ି ଚାଲିଛି । ଏବେ ଗାଲର ଗୋଟିଏ ପାର୍ଶ୍ବକୁ ଲୋମ ପୂରା ମାଡ଼ିଗଲାଣି। ହେଲେ ଦୁଃଖର ବିଷୟ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି । ଏ କାହାଣୀ ହେଉଛି କେନ୍ଦୁଝରର ୧୨ ବର୍ଷୀୟା ନାବାଳିକା ପୂଜାରାଣୀ ନାଏକର । କୁନି ମୁହଁକୁ ଘୋଡ଼େଇ ପକେଇଛି ଘଞ୍ଚ କଳା ଲୋମ ।

କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଟଭାସୁରୁଆ ଗ୍ରାମର ବଟକୃଷ୍ଣ ନାଏକ ଓ କଳ୍ପନା ନାଏକଙ୍କ ବଡ଼ଝିଅ ପୂଜାରାଣୀ ନାଏକ (୧୨)। ଜନ୍ମରୁ ପୂଜାରାଣୀଙ୍କ ମୁହଁର କିଛି ଅଂଶ ଲୋମମୟ ଥିଲା। ସେ ଯେତିକି ବଡ଼ ହେଉଛନ୍ତି, ମୁହଁରେ ଲୋମ ମଧ୍ୟ ସେତିକି ମାଡ଼ିଯାଉଛି । ବର୍ତ୍ତମାନ ତାଙ୍କ ମୁହଁର ଡାହାଣ ପାର୍ଶ୍ବକୁ ଘଞ୍ଚ କଳା ଲୋମ ଆବରଣ କରିବାକୁ ବସିଛି । ଏହି କାରଣରୁ ପୂଜାରାଣୀ ଅନେକ ସମୟରେ ଅସ୍ବାଭାବିକ ପରିସ୍ଥିତିକୁ ସାମନା କରୁଛନ୍ତି । ସ୍କୁଲରେ ସାଙ୍ଗସାଥୀ ତାଙ୍କୁ ଲୋମଶ ବାଳିକା ବୋଲି ଡାକୁଛନ୍ତି । ଏହାକୁ ନେଇ ସେ ଲଜ୍ଜିତ ହେଉଛି । ଘରୁ ବାହାରିବାକୁ ମଧ୍ୟ ସଙ୍କୋଚ କରୁଛି ।

ଝିଅର ଚିକିତ୍ସା ପାଇଁ ବାପା, ମା’ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ  । ଡାକ୍ତର ଅସ୍ତ୍ରୋପଚାର କରିବାକୁ କହିଥିଲେ । ଏଥିପାଇଁ ଆବଶ୍ୟକ ଅର୍ଥ ପରିବାର ଲୋକେ ଯୋଗାଡ଼ କରିପାରି ନଥିଲେ । ସେମାନେ ଗରିବ ଖଟିଖିଆ। ଖଟିଲେ ତାଙ୍କ ଘରେ ଚୁଲି ଜଳେ। ଶେଷରେ ଘରକୁ ଫେରି ଯାଇଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ସଂସ୍ଥା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଝିଅର ଅସ୍ତ୍ରୋପଚାର ପାଇଁ ସହାୟତାର ହାତ ବଢ଼ାଇଲେ ଝିଅ ଭଲ ହୋଇପାରନ୍ତା ବୋଲି ପୂଜାରାଣୀଙ୍କ ମା’ କହିଛନ୍ତି ।