ଅପନ୍ତରା ଗାଁର ପାଠୋଇ ଝିଅ : ଅନୁଗୁଳ ବେତର ଗାଁରେ କୁନି କୁନି ପିଲାଙ୍କର ଭରସା ପାଲଟିଛନ୍ତି ରଶ୍ମିତା, ଗାଁ ପିଲାଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡିଛନ୍ତି ବାପ ଛେଉଣ୍ଡ ଝିଅ

103

କନକ ବ୍ୟୁରୋ : ଅବହେଳିତ ଅନୁଗୁଳ ଶରଧାପୁର ପଂଚାୟତର ବେତର ଗାଁ । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଥିବା ଏହି ଗାଁରେ ଶିକ୍ଷାର କଥା ନ କହିବା ଭଲା । ପାହାଡ, ଜଙ୍ଗଲ ଡେଇଁ ଗାଁକୁ ପାଠ ପଢାଇବାକୁ ଯିବାକୁ କୌଣସି ଶିକ୍ଷକ ରାଜି ହେଉନଥିବା ବେଳେ ଏବେ ସେହି ଗାଁର କୁନି କୁନି ପିଲାଙ୍କ ଭରସା ପାଲଟିଛନ୍ତି ରଶ୍ମିତା ।

ଉଠା ରାସ୍ତା ଡେଇଁଲେ ଅନୁଗୁଳ ଶରଧାପୁର ପଂଚାୟତର ବେତର ଗାଁ ।  ଯେଉଁ ଗାଁରେ ପିଲା ଅଛନ୍ତି, ସ୍କୁଲ ଅଛି, ହେଲେ ପାଠ ପଢାଇବାକୁ ଶିକ୍ଷକ ନାହାନ୍ତି । ଏପରିକି ଏହି ଗାଁକୁ ପାଠ ପଢାଇବାକୁ ଯିବା ପାଇଁ ସରକାରୀ ଶିକ୍ଷକ ଅମଙ୍ଗ ହେଉଥିବା ବେଳେ କିଛି ଦିନ ହେବ ସ୍କୁଲରେ ତାଲା ମଧ୍ୟ ପଡିଛି । ଗାଁର ଶିକ୍ଷା ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ସୁଧାରିପାରିନଥିବା ବେଳେ ଏବେ ସେଠି ଅଣ୍ଟା ଭିଡିଛନ୍ତି ବାପ ଛେଉଣ୍ଡ ରଶ୍ମିତା ।  କୁନି କୁନି ପିଲାଙ୍କର ଭରସା ପାଲଟିଥିବା ରଶ୍ମିତା ଗାଁରେ ଶିକ୍ଷାର ଆଲୋକ ଜଳାଇଛନ୍ତି ।

ଅନୁଗୁଳ ସରକାରୀ କଲେଜରୁ ଯୁକ୍ତି ଦୁଇ ପାଠ ପଢିଥିବା ରଶ୍ମିତାଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବାଧକ ସାଜିଥିଲା ଅର୍ଥ ଅଭାବ । ବାପା ଅନେକ ଦିନରୁ ଆଖି ବୁଜିଦେଇଥିବା ବେଳେ  ମା ମଜୁରୀ କରି ପରିବାର ଚଳାନ୍ତି । ତେବେ କିଛି କରିବାର ଆଗ୍ରହ ରଶ୍ମିତାଙ୍କୁ ଏହି ଅପନ୍ତରା ଗାଁର କୁନି କୁନି ପିଲାଙ୍କ ପାଖକୁ ଟାଣି ଆଣିଥିଲା । ୨୨ ଜଣ ପିଲାଙ୍କୁ ଏକାଠି କରି ଏବେ ସେ ପାଠ ପଢାଉଛନ୍ତି । ରଶ୍ମିତାଙ୍କ ଏଭଳି କାମକୁ ଗାଁ ଲୋକେ ପ୍ରଶଂସା କରିବା ସହ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ କନ୍ୟା ଦିବସରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱେଚ୍ଚାସେବୀ ସଂଗଠନ ସାଥୀ ପରିବାର ପକ୍ଷରୁ ମଧ୍ୟ ପିଲା ମାନଙ୍କୁ ପାଠ ଉପକରଣ ଯୋଗାଇଦିଆଯିବା ସହ ରଶ୍ମିତାଙ୍କୁ କିଛି ଅର୍ଥ ଦେଉଛନ୍ତି ।