ରୂପର ଯାଦୁରେ ୪ଲକ୍ଷ ଗୋଲ । ରୂପରଙ୍ଗରେ ପାଗଳ ହୋଇ ଏଟିଏମ ପିନ୍ ଓ ପାସୱର୍ଡ଼ ଦେଇଦେଲେ ଡାକ୍ତର । ସୁନ୍ଦରତାକୁ ଆୟୁଧ କରି ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ସୁନ୍ଦରୀ ତରୁଣୀ

1,987

କନକ ବ୍ୟୁରୋ : ସୁନ୍ଦରୀ ଝିଅର ମାୟାଜାଲରେ ଫସିଗଲେ ଡାକ୍ତର । ରୂପର ଯାଦୁ ଦେଖାଇ ଠକେଇ । ସୁନ୍ଦରୀ ଯୁବତୀଙ୍କ କଳାକାରନାମା ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ମିସ୍ ୪୨୦ । ଅନୁଗୁଳ ଜିଲ୍ଲା ତାଳଚେରରରେ ଘଟିଛି ଏପରି ଅଭାବନୀୟ ଘଟଣା । ତେବେ ଡାକ୍ତର ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏବେ ସୁନ୍ଦରୀ ଯୁବତୀଙ୍କୁ ମାମୁଁଘର ଯିବାକୁ ପଡ଼ିଛି ।

ସୁନ୍ଦରୀ  ୪୨୦ । ଅଳ୍ପ ଦିନର ଚିହ୍ନାପରିଚିତିରେ ଡାକ୍ତରଙ୍କୁ ଚୂନା ଲଗାଇଦେଲେ । ତାଳଚେର ବାଘୁଆବୋଲ ଅଂଚଳରେ ରହନ୍ତି ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନ । କିଛି ଦିନ ତଳେ କୋଲିୟରି ଥାନା ଜଣେ ସୁନ୍ଦରୀ ତରୁଣୀ ନିଜକୁ ଫାଇନାନ୍ସ  କମ୍ପାନୀର ଏଜେଣ୍ଟ ଦର୍ଶାଇ ଡାକ୍ତଙ୍କ ସହ ବ୍ୟବସାୟିକ ସମ୍ପର୍କ ଯୋଡ଼ିଥିଲେ । ଅତି ଅଳ୍ପ ଦିନରେ ଯୁବତୀ ଜଣକ ନିଜର ସୁନ୍ଦରତାକୁ ଆୟୁଧ କରି ନିଜର  ମିଠାମିଠା କଥା ଓ ବାକଚାତୁରୀରେ ଡାକ୍ତରଙ୍କୁ ପୂରାପୁରି ବଶୀଭୂତ କରିଦେଇଥିଲେ । ସମ୍ପର୍କ ଗାଢ଼ ହେବାପରେ ଅତ୍ୟନ୍ତ ଚତୁରତାରର ସହ ଡାକ୍ତରଙ୍କ ପିନ୍ ଓ ଏଟିଏମ କାର୍ଡ଼ ନମ୍ବର ନେଇଆସିଥିଲେ ମିଛେଇ ଝିଅ । ଆଉ ତା’ପରେ ଡାକ୍ତରଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟରୁ କିସ୍ତିରେ ସମୁଦାୟ ୪ ଲକ୍ଷ ୫୭ ହଜାର ୩୫୮ ଟଙ୍କା ଉଠାଇ ନେଇଥିଲେ ।

ହଠାତ୍ ଏତେ ଟଙ୍କା ଆକାଉଣ୍ଟରୁ କଟିଯିବା  ପରେ ଡାକ୍ତର ବାବୁଙ୍କ ବୁଦ୍ଧି ହଜିଗଲା । ସୁନ୍ଦରୀଙ୍କ ଅସଲ ଚେହେରା ସାମ୍ନାକୁ ଆସିସାରିଥିଲା । ଟଙ୍କା କଟିଯିବା ପରେ ଡାକ୍ତର ଜଣକ କାନମୁଣ୍ଡ ଆଇଁସି ତୁରନ୍ତ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଉ ତା’ପରେ ଏତଲା ଆଧାରରେ ପୁଲିସ ତଦନ୍ତ କରି ସୁନ୍ଦରୀ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଯୁବତୀଙ୍କ ନାଁରେ ଦୁଇଟି ଠକେଇ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।