ଅତଡ଼ା ଖସି ଆଉ ପ୍ରାଣ ହରାଇବେନି ଶ୍ରମିକ : ଜିପିଏସ୍ ଜରିଆରେ ବିପଦର ଆଗୁଆ ଇସାରା ମିଳିବ, ସ୍ୱତନ୍ତ୍ର ଡ୍ରୋନ୍ ତିଆରି କଲେ ଜିଇସି ଛାତ୍ର କୁମାର ଗୌରବ

223

କନକ ବ୍ୟୁରୋ : ଖଣିରୁ ଅତଡ଼ା ଖସି ଆଉ ଶ୍ରମିକଙ୍କ ପ୍ରାଣ ଯିବନି । ଅତଡ଼ା ଖସିବା ସମ୍ପର୍କରେ ଆଗୁଆ ସୂଚନା ଦେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଥିବା ଡ୍ରୋନ୍ । ଜିପିଏସ୍ ଜରିଆରେ ବିପଦର ଇସାରା ଦେବ । ଜୀବନକୁ ପାଣି ଛଡ଼ାଇ ପରିବାରର ପେଟ ପାଳିବାକୁ ଖଣିରେ କାମ କରୁଥିବା ଶ୍ରମିକଙ୍କ ଜୀବନ ବଞ୍ଚାଇବ ‘ଜିପିଏସ୍ ଡ୍ରୋନ୍’ । କିଛି ପ୍ଲାଷ୍ଟିକ୍ ଓ ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରି କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ଛାତ୍ର କୁମାର ଗୌରବ ତିଆରି କରିଛନ୍ତି ଏହି ସ୍ୱତନ୍ତ୍ର ଡ୍ରୋନ୍ ।

ବାଲେଶ୍ୱର ସହର ଫକୀରମୋହନ ନଗରର ବାସନ୍ଦା ତଥା ଡିଆରଡ଼ିଓ ବୈଜ୍ଞାନିକ ଗୟାଧର ସେଠୀଙ୍କ ପୁଅ କୁମାର ଗୌରବ ସେଠୀ । କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳର ଇଲେକ୍ଟ୍ରିକାଲ୍ ବିଭାଗର ତୃତୀୟ ବର୍ଷର୍ର ଛାତ୍ର । ଖଣିର ସହର କେନ୍ଦୁଝରରେ ପାଠ ପଢ଼ୁଥିବା ବେଳେ ପ୍ରାୟ ସମୟରେ ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ ହେବାର ଖବର ତାଙ୍କୁ ଆନ୍ଦୋଳିତ କରୁଥିଲା । ତେବେ ଶ୍ରମିକଙ୍କୁ ରକ୍ଷା କରିବା ପାଇଁ ସେ ତିଆରି କରିଛନ୍ତି ଜିପିଏସ୍ ଯୁକ୍ତ ଡ୍ରୋନ୍ । ଏଥିପାଇଁ ତାଙ୍କ ହଷ୍ଟେଲ ରୁମ୍ ପାଲଟିଥିଲା ସାଧନାସ୍ଥଳୀ । ପ୍ରାୟ ୧ ବର୍ଷ ୨ ମାସ ମଧ୍ୟରେ ଡ୍ରୋନ୍ ତିଆରି କରିବାରେ ସଫଳ ହୋଇଥିଲେ କୁମାର ଗୌରବ ।

ଡ୍ରୋନରେ ଲାଗିଛି ଘରୋଇ ପ୍ଲାଷ୍ଟିକ୍ ଫ୍ରେମ୍, ମୋଟର, ପ୍ରୋପେଲର୍, ଛୋଟ ଷ୍ଟାବିଲାଇଜର, ଜିପିଏସ୍, ମଦରବୋର୍ଡ଼ କଣ୍ଟ୍ରୋଲର । ଆଉ ଅନ୍ୟ କିଛି ଯନ୍ତ୍ରପାତି ଚୀନରୁ ମଗାଇ ବ୍ୟବହାର ଡ୍ରୋନ୍ ତିଆରି ହୋଇଛି । ଏହି ଡ୍ରୋନ୍ ମାଧ୍ୟମରେ ଖଣିର ଥ୍ରିଡ଼ି ଇମେଜ୍ ମଧ୍ୟ ସଂଗ୍ରହ କରା ଯାଇପାରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଷ୍ଟମ, ସ୍ୱତଃପ୍ରବୃତ୍ତ ଭାବେ ଅତଡ଼ା ଖସିବା ପୂର୍ବ ସୂଚନା ଦେବ ବୋଲି କହିଛନ୍ତି କୁମାର ଗୌରବ ।

ଡ୍ରୋନ୍ ଉଡ଼ାଇବାରେ ୨୦ ଥର ଅସଫଳ ହୋଇଥିଲେ ସୁଦ୍ଧା ହାର ମାନନଥିଲେ ଗୌରବ । ପଢ଼ିବା ପାଇଁ ମିଳୁଥିବା ହାତ ଖର୍ଚ୍ଚରୁ ସଞ୍ଚୟ କରି ଏହି ଡ୍ରୋନ୍ ତିଆରି କରିଛନ୍ତି । ଗୌରବଙ୍କ ସାଙ୍ଗ କୁହନ୍ତି, ତା’ର ଚିନ୍ତାଧାର ଖୁବ୍ ନିଆରା । ଅନେକ ଯୋଜନା ଓ କଠିନ ପରିଶ୍ରମ ପରେ ତାଙ୍କୁ ସଫଳତା ମିଳିଛି । ଗୌରବଙ୍କ ଏହି ପ୍ରୟାସ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ଗୌରବଙ୍କ ଏଭଳି ଉଦ୍ଭାବନ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।