କରୋନା ସହ ଜୋରଦାର ଲଢ଼େଇ : ଏମପି ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦାନ କଲେ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର

926

କନକ ବ୍ୟୁରୋ : କରୋନା ସହ ଲଢ଼େଇ କରୁଛି ସାରା ବିଶ୍ୱ । ଭାରତରେ ଧୀରେ ଧୀରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏହି ମହାମାରୀରୁ ରକ୍ଷା ପାଇବା ତଥା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର । ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ସାଂସଦ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦାନ ଦେଲେ ଗମ୍ଭୀର । ଅନ୍ୟପଟେ ଦିଲ୍ଲୀ ସରକାର ବଜେଟରେ କରୋନା ଭାଇରସ୍ ମୁକାବିଲା ପାଇଁ ୫୦ କୋଟି ଟଙ୍କାର ଫଣ୍ଡ୍ ଦେବା ପାଇଁ ଘୋଷଣା କରିଛନ୍ତି ।

ଦିଲ୍ଲୀରେ କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭଲ ତାଳମେଳ ଦେଖିବାପାଇଁ ମିଳୁଛି । ବର୍ତ୍ତମାନ ଗୌତମ ଗମ୍ଭୀର ୫୦ ଲକ୍ଷ ଫଣ୍ଡ ଘୋଷଣା କରିଥିବା ବେଳେ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ନକରିବାକୁ ପରାମର୍ଶ ଦେଇଥିଲେ ।

ଦିଲ୍ଲୀ ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ୨୦୨୦-୨୧ ବଜେଟ୍ ଉପସ୍ଥାପନ କରିଥିଲେ । ପୁରା ବିଶ୍ୱ କରୋନା ସହ ଲଢ଼େଇ ଜାରି ରଖିଥିବା ବେଳେ,  ଏହି ରୋଗରୁ ରକ୍ଷା ପାଇଁ ସରକାର ସମସ୍ତ ସୁବିଧା ଉପଲବ୍ଧ କରାଇବେ ବୋଲି ଲୋକଙ୍କୁ କହିଥିଲେ । ଦିଲ୍ଲୀ ସରକାର କରୋନା ଭାଇରସ୍ ମୁକାବିଲା ପାଇଁ ନିଜ ବଜେଟରେ ୫୦ କୋଟି ଟଙ୍କା ପ୍ରାବଧାନ କରିଛନ୍ତି  ।