ବର୍ଜ୍ୟବସ୍ତୁରେ ତିଆରି ସୁନ୍ଦର ଉଦ୍ୟାନ, ସବୁଜ ବନାନୀରେ ଭରପୁର ସରକାରୀ ଡାକ୍ତରଖାନା : ଫାର୍ମାସିଷ୍ଟଙ୍କ ଉଦ୍ୟମରେ ମନୋରମ ହୋଇପାରିଛି କନ୍ଧମାଳର ସୁଡ଼୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

349

କନକ ବ୍ୟୁରୋ : ସବୁଜ ବନାନୀରେ ଭରପୁର ଡାକ୍ତରଖାନା । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗଢ଼ିଉଠିଛି ବର୍ଜ୍ୟବସ୍ତୁରେ ନିର୍ମିତ ଛୋଟ ଉଦ୍ୟାନ । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର କଥା ଚିନ୍ତା କଲେ ହଠାତ ମନକୁ ଆସିଯାଏ ଅଳିଆ ଆବର୍ଜନା ଭରା ଅସ୍ୱାସ୍ଥ୍ୟକର ପରିବେଶ । ହେଲେ ଲୋକଙ୍କ ଏପରି ଧାରଣାକୁ ଭୁଲ ବୋଲି ପ୍ରମାଣିତ କରିଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳର ସୁଡ଼୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଡାକ୍ତରଖାନା ପରିସରରେ ବର୍ଜ୍ୟବସ୍ତୁକୁ ନେଇ ଏକ ଛୋଟ ମନୋରମ ଉଦ୍ୟାନ କରିଛନ୍ତି ଫାର୍ମାସିଷ୍ଟ ରାଜେଶ କୁମାର ସାହୁ ଓ ତାଙ୍କର ଦୁଇ ଜଣ ସାଥୀ କର୍ମଚାରୀ ।

ସୁସ୍ଥ ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋଡ଼ା ସ୍ୱଚ୍ଛ ଓ ସବୁଜ ପରିବେଶ । ଆଉ ଡାକ୍ତରଖାନା ଯଦି ସବୁଜ ସୁନ୍ଦର ହୁଏ, ତେବେ ରୋଗ ଅଧା ଦୂର ହୋଇଯାଏ । ଆଉ ଲୋକଙ୍କ ରୋଗ ଭଲ କରିବା ପାଇଁ ଔଷକ୍ଷ ସହ ଡାକ୍ତରଖାନା ପରିସରର ସ୍ୱାଚ୍ଛତା ଉପରେ ଅଧିକ ନଜର ଦେଉଛନ୍ତି ଫାର୍ମାସିଷ୍ଟ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରୁ ୧୫ କିମି ଦୂରରରେ ସୁଡ଼୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନନ୍ଦ୍ରର କର୍ମଚାରୀମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଡାକ୍ତରଖାନାର ବର୍ଜ୍ୟବସ୍ତୁକୁ ନଫୋପାଡ଼ି ସୁନ୍ଦର ଉଦ୍ୟାନ ତିଆରି କରିଛନ୍ତି । ସାଲାଇନ୍ ଡବାକୁ କାଟି ସେଥିରେ ଛୋଟ ଛୋଟ ଫୁଲ ଗଛ ଲଗାଯାଇଛି । ଡାକ୍ତରଖାନାର ମନ ମୋହିଲା ପରି ପରିବେଶ ଆଉ ବଗିଚା । ଦେଖିଲେ ଆଖି ଖୋସି ହୋଇଯିବ । ସୌନ୍ଦର୍ୟ୍ୟମୟ ପରିବେଶ ଦେଖି ରାସ୍ତାରେ ଯାଉଥିବା ଲୋକ ଘଡ଼ିଏ ଅଟକି ଯାଉଛନ୍ତି । ଏଠାକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାର ଶୋଭରାଜି ଦେଖି ଖୁସି ହୋଇ ଯାଉଛନ୍ତି ।

ତେବେ ଫାର୍ମାସିଷ୍ଟ ଏହି କାମ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ରାଗୀଙ୍କ ସେବା କରିବା ସହ ଡାକ୍ତରଖାନ ପରିସରର ଖୁବ ଯତ୍ନ ନିଅନ୍ତି ଫାର୍ମାସିଷ୍ଟ ଓ ତାଙ୍କ ସାଥୀ । ମେଡ଼ିକାଲ ବନ୍ଦ ହେବା ପରେ ଘରକୁ ନଯାଇ ପରିଶ୍ରମ କରି ଡାକ୍ତରଖାନାକୁ ସବୁଜ ସୁନ୍ଦର କରି ତୋଳିପାରିଛନ୍ତି । କିଛି ଟଙ୍କା ନିଜେ ଖର୍ଚ୍ଚ କରି ତଥା ମିଳିତ ପରିଶ୍ରମରେ ଦୁଇ ବର୍ଷରେ ତିଆରି ହୋଇଛି ଏହ ଉଦ୍ୟାନ । ଆଗାମୀ ଦିନରେ ଆଉ ଅଧିକ ପରିଶ୍ରମ କରି ବଗିଚାକୁ ବଡ଼ କରି ତିଆରି କରିବାକୁ ଚେଷ୍ଟା କରୁଛନ୍ତି ଫାର୍ମାସିଷ୍ଟ । ସୁଡ଼୍ରା ପ୍ରାଥମିକ ସ୍ାସ୍ଥ୍ୟକେନ୍ଦ୍ର ଏବେ ସୁସ୍ଥ ଓ ସୁନ୍ଦର ସ୍ୱାସ୍ଥ୍ୟକେନ୍ଦ୍ରର ଉଦାହରଣ ପାଲଟିଛି ।