ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ତୀବ୍ର ଉତ୍ତେଜନା ! ଅଧ୍ୟକ୍ଷ ଦାବିଦାର ସମିତିସଭ୍ୟଙ୍କୁ ଅପହରଣ ଅଭିଯୋଗ

29

କନକ ବ୍ୟୁରୋ : ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ଗୋଷ୍ଠୀ ବିବାଦ ପୁଣି ପଦାକୁ ଆସିଛି । ଠିକ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଆଗରୁ ଜଣେ ଦାବିଦାର ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ । ଆଉ ଏହାକୁ ନେଇ ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ତୀବ୍ର ଉତେଜନା ଓ ଗଣ୍ଡଗୋଳ ହୋଇଛି । ଏହା ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହୋଇଥିବା ବେଳେ ମନ୍ତ୍ରୀଙ୍କ ନିଷ୍ପତି ଉପରେ ସବୁକିଛି ନିର୍ଭର କରୁଥିଲା ।

ତେବେ ବ୍ଲକ ଅଧ୍ୟକ୍ଷ ଭାବେ ଦାବିଦାର ପ୍ରାର୍ଥୀ ବୁଚେଶ୍ୱର ସାହୁଙ୍କୁ ମନ୍ତ୍ରୀଙ୍କ ଇଙ୍ଗିତରେ ଅପହରଣ କରାଯାଇଥିବା ଅଭିଯୋଗ କରି ସମର୍ଥକ ଗଣ୍ଡଗୋଳ କରିଥିଲେ । ସ୍ଥିତି ଅଣାୟତ ହେଉଥିବା ଦେଖି ପୋଲିସ ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଛି । ନିର୍ବାଚନ ପାଇଁ ବୁଚେଶ୍ୱର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଠିକ୍ ନିର୍ବାଚନ ଆଗରୁ ତାଙ୍କୁ ଏକଗାଡିରେ ଅପହରଣ କରି ନିଆଯାଇଥିଲା ।

ଅପହରଣର ୧୧ ଘଂଟା ପରେ ବୁଚେଶ୍ୱର ଘରକୁ ଫେରିଥିବା ସୂଚନା ମିଳିଛି । ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ପୂର୍ବରୁ ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷକୁ ନେଇ ବିଜେଡିର ଗୋଷ୍ଠୀ ବିବାଦ ଆରମ୍ଭ ହୋଇ ଛକାପଞ୍ଝା ଲାଗି ରହିଥିଲା । ସୂଚନା ଅନୁସାରେ ତିନି ଜଣ ଆଶାୟୀ ପ୍ରାର୍ଥୀ ଅଧ୍ୟକ୍ଷ ହେବାକୁ ମନ୍ତ୍ରୀଙ୍କ ସହ ଯୋଗଯୋଗରେ ଥିଲେ ।

ଆଉ ମନ୍ତ୍ରୀ ମଧ୍ୟ ତିନି ପ୍ରାର୍ଥୀଙ୍କୁ ପ୍ରତିଶ୍ରୁତି ଦେଇ ଧର୍ମ ସଂକଟରେ ପଡିଥିଲେ । ହେଲେ ଶେଷରେ କୋଠାରସିଙ୍ଗ ସମିତି ସଭ୍ୟ ସି. ଉଷାରାଣୀଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ କରିବାକୁ ଗୋପନରେ ନିଷ୍ପତି ନିଆଯାଇଥିଲା । ଯାହାକୁ ନେଇ ଇନ୍ଦ୍ରାକ୍ଷୀ ସମିତି ସଭ୍ୟ ବୁଚେଶ୍ୱର ସାହୁଙ୍କ ଶିବିରରେ ଅସନ୍ତୋଷ ଆରଂଭ ହୋଇଥିଲା ।

ତେଣୁ ଉଷାରାଣୀଙ୍କ ବିରୋଧରେ ବୁଚେଶ୍ୱର ପ୍ରାର୍ଥୀ ହେବାକୁ ନିଷ୍ପତି ନେଇଥିଲେ । ହେଲେ ତାଙ୍କୁ ଅପହରଣ କରି କଡା ସୁରକ୍ଷାରେ ଭୋଟଦାନ ହୋଇଥିଲା । ଉଷାରାଣୀ ୨୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବୁଚେଶ୍ୱର ୯ଟିଭୋଟ ପାଇ ପରାଜିତ ହୋଇଛନ୍ତି । ହିଂସା ଓ ଉତେଜନା ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛିା