ସକାଳେ ବ୍ୟାଙ୍କ ମ୍ୟାନେଜର ଦାୟିତ୍ୱ ନେବାକୁ ଘରୁ ବାହାରିଲେ : ସନ୍ଧ୍ୟାରେ ଆସିଲା ମୃତ୍ୟୁର ଖବର, ସଡକ ଦୁର୍ଘଟଣାରେ ଚାଲିଗଲା ଗଂଜାମ ସୋନାପୁର ୟୁଜିବିର ମ୍ୟାନେଜର ଭଗବାନ ସାହୁଙ୍କ ଜୀବନ

376

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରୁ ଏପରି ଏକ ଦୁର୍ଘଟଣାର ଖବର ଆସିଛି, ଯାହା ଆପଣଙ୍କୁ ବିଚଳିତ କରିଦେବ । ବ୍ୟାଙ୍କ ମ୍ୟାନେଜର ଭାବେ ଦାୟତ୍ୱ ନେବାକୁ ସକାଳୁ ସକାଳୁ ଘରୁ ବାହାରି ଆସିଲେ । ହେଲେ ରାତିରେ ଆଉ ଘରକୁ ଫେରିଲେ ନାହିଁ । ଫେରିଲା ତାଙ୍କର ମୃତଦେହ । ଶନବାର ସଂଧ୍ୟାରେ ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ନିକଟ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସୋନପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଭଗବାନ ସାହୁ ।

ଶନିବାର ଦିନ ଗଞ୍ଜାମ ଜିଲ୍ଲାର ସୋନାପୁର ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଭାବେ ଦାୟିତ୍ୱ ନେଇଥିଲେ ଭଗବାନ ସାହୁ । ଏହି ବ୍ୟାଙ୍କର ମ୍ୟାନେଜର ପଦବୀରୁ ଅବସର ନେଇଥିଲେ ମହେନ୍ଦ୍ର ତ୍ରିପାଠୀ । ମହେନ୍ଦ୍ରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଓ ଭଗବାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାରେ ଉତ୍ସବ ମୁଖର ହୋଇ ପଡ଼ିଥିଲା ବ୍ୟାଙ୍କ ପରିସର । ହେଲେ ସଂଧ୍ୟା ବେଳେ ଏପରି ଖବର ଆସିଥିଲା, ଯାହା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା ।

ନୂଆ ଦାୟିତ୍ୱ ନେବା ପରେ ସଂଧ୍ୟାରେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀଙ୍କ ସହ ଗୋଟିଏ ବାଇକରେ ବ୍ରହ୍ମପୁର ଅଭିମୁଖେ ଘରକୁ ବାହାରିଥିଲେ ଭଗବାନ । ହେଲେ ବିଧି ବିଧାନ ଥିଲା ଅଲଗା । ଗୋଳନ୍ଥରା ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ବାଇକକୁ ଧକ୍କା ଦେଇଥିଲା ଟ୍ରକ । ବାଇକ୍ ଚଳାଉଥିବା ମହେନ୍ଦ୍ର ତ୍ରିପାଠୀ ରାସ୍ତାର ଅପର ପାଶ୍ୱର୍ରେ ଛିଟିକି ପଡ଼ିଥିବା ବେଳେ ରାସ୍ତା ଉପରେ ପଡିଥିଲେ ଭଗବାନ ସାହୁ । ଦ୍ରୁତ ଗତିରେ ଆସୁଥିବା ଟ୍ରକ, ଭଗବାନଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଗୋଳନ୍ଥରା ପୋଲିସ ।

ମୃତ ଭଗବାନ ସାହୁ ଦୀର୍ଘଦିନ ଧରି ବ୍ରହ୍ମପୁର ବିଏମସି ପରିସରରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ଶନିବାର ଦିନ ସକାଳେ ବ୍ରହ୍ମପୁର ଖୋଡ଼ାସିଙ୍ଗି ବାଂଛାନିଧି ନଗର ସ୍ଥିତ ବାସଭବନରୁ ନୂଆ କର୍ମକ୍ଷେତ୍ରକୁ ବାହାରିଥିଲେ । ଘରୁ ବାହାରିବା ବେଳେ ସ୍ତ୍ରୀଙ୍କୁ କହିଥିଲେ, ଆଉ ଦୁଇ ବର୍ଷ ଏହି ନୂଆ ଦାୟିତ୍ୱ ତୁଲାଇବେ । କିନ୍ତୁ କେହି ଭାବିନଥିଲେ, ଏହି କେଇ ପଦ କଥା ତାଙ୍କ ଜୀବନର ଶେଷ କଥା ହୋଇଯିବ ବୋଲି ।