ସାରା ଦେଶରେ ଆଜି ବିଘ୍ନ ବିନାଶକଙ୍କ ପୂଜା : ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ, ସହିଦ ନଗରରେ ସ୍ୱତନ୍ତ୍ର ମୂର୍ତ୍ତି

70

କନକ ବ୍ୟୂରୋ : ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଏଥିପାଇଁ ଦେଶର ପଲ୍ଲୀଠାରୁ ଦିଲୀ ଯାଏଁ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ହୋଇଛି । ପୂଜା ପେଣ୍ଡାଲରେ ଗଜାନନଙ୍କ ହୋମ ଯଜ୍ଞ ଚାଲିଛି । ମନ୍ଦିରରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ହେଉଛି । ସବୁ ଶିକ୍ଷାନୁଷ୍ଠାନରେ ଗଣେଶଙ୍କ ପୂଜା ହେଉଛି । ଘରେ ଘରେ ବି ପୂଜା ଆରମ୍ଭ ହେଲାଣି । ମୁମ୍ବାଇ ଓ ହାଇଦ୍ରାବାଦରେ ବିରାଟ ଆକାରରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି ।

ଚଳିତ ବର୍ଷ ସହିଦ ନଗରରେ ପୂଜା ପାଇବେ ସହସ୍ରମୁଖୀ ଗଣେଶ । ଗଙ୍ଗାମାଟିରେ ନିର୍ମିତ ଏହି ଗଣେଶ ୩୫ଟି ହାତୀ ଉପରେ ବିରାଜିତ ହେବେ । ଆଉ ଏହି ପ୍ରତିମାଙ୍କ ମୁଖ୍ୟ ଆକର୍ଷଣ ହେଉଛି, ତାଙ୍କ ଦେହର ଧଳା ରାଶି ଓ ମସୁର ଡାଲିରେ ତିଆରି ବସ୍ତ୍ର । ଏଥିରେ ହାତୀମାନଙ୍କ ଆଖି ବାଟିରେ ତିଆରି ହେଇଛି । ଗଣେଶ ପୂଜା ଅବସରରେ ୧୩,୧୫ ଓ ୧୭ ତାରିଖରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି ବୋଲି ଆୟୋଜକ ସହିଦ କ୍ଲବର ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଲୋକମାନଙ୍କ ମନୋରଞ୍ଜନ ପାଇଁ କ୍ଲବ ପକ୍ଷରୁ ୧୩ ଓ ୧୪ ତାରିଖରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଏଠାରେ ପ୍ରାୟ ୧୦ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ର ସମ୍ପାଦକ ରାଜେଶ ଖାନ୍ନା, ମୁଖ୍ୟ ଉପଦେଷ୍ଟା ରାଜକିଶୋର ଦାଶ ଓ କୋଷାଧ୍ୟକ୍ଷ ଆଲୋକ ପୃଷ୍ଟି ଉପସ୍ଥିତ ଥିଲେ ।

ପୁରୁଣା ଭୁବନେଶ୍ୱର ଦୁଇ ପୂଜା କମିଟି ଗଣେଶଙ୍କ ମୂର୍ତ୍ତିକୁ ନେଇ ଜୋରଦାର୍ ଟକ୍କର। ଯମେଶ୍ୱର ପାଟଣା ସାହିରେ ବୁଢ଼ା ଗଣେଶ ୧୪ଫୁଟ୍ରେ ତିଆରି ହେଉଥିବେଳେ ଚଳିତ ବର୍ଷ ମୂର୍ତ୍ତିିକୁ ଅଧିକ ଉଚ୍ଚତା ବିଶିଷ୍ଟ କରାଯାଇଛି । ଏଥର ୧୮ଫୁଟ୍ ଉଚ୍ଚତାରେ ମୂର୍ତ୍ତି ତିଆରି ହୋଇଥିବା କମିଟି ପକ୍ଷରୁ କୁହାଯାଇଛି । ତେବେ ଏହାକୁ ଟକ୍କର୍ ଦେବ ବଢ଼େଇବାଙ୍କ ଛକ ବଡ଼ୁ ସାହି ଗଣେଶ ପୂଜା କମିଟି । ଏଥର ବଢ଼େଇବାଙ୍କ ଛକଠାରେ ୧୯ଫୁଟ୍ର ବଡ଼ ମୂର୍ତ୍ତିି ତିଆରି କରାଯାଇଛି ।