କନକ ବ୍ୟୁରୋ : ବୁଧବାର ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ସମାରୋହରେ ସଂପନ୍ନ ହୋଇଛି । ଭସାଣି ଶୋଭାଯାତ୍ରା ନୃତ୍ୟଗୀତ-ବାଦ୍ୟରେ ଦୁଲୁକି ଉଠିଥିଲା ଅନୁଗୁଳ । ତେବେ ବର୍ଷା ଯୋଗୁଁ ଅନ୍ୟ ବର୍ଷ ଭଳି ସେତେଟା ଭିଡ଼ ହୋଇନଥିଲା । ତେବେ ଲୋକେ ବର୍ଷାରେ ଭିଜି କାର୍ଯ୍ୟକ୍ରମର ବେଶ୍ ମଜା ଉଠାଇଥିଲେ । ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ମା’ ଧନଦାତ୍ରୀ ଲକ୍ଷ୍ମୀ ପୂଜା ମଣ୍ଡପରେ ପୂଜା ପାଇବା ସହ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଆଉ ଆଶୀର୍ବାଦ ଦେଇ ଆଜି ମେଳାଣି ନେଇଛନ୍ତି ।
ସହରରେ ୩୧ଟି ମଣ୍ଡପରେ ପୂଜା ହୋଇଥିବା ବେଳେ ଆଜି ୧୧ଟି ପୂଜା କମିଟି ମେଳଣରେ ସାମିଲ ହୋଇଥିଲେ। କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତି ଅନୁସାରେ ବୁଧବାର ଅପରାହ୍ଣ ୩ଟାରେ ଥାନା ଛକ ନିକଟରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହେବାର ଥିଲା । ମାତ୍ର ପ୍ରତିକୂଳ ପାଗ ଯୋଗୁଁ କେତେକ ପୂଜା କମିଟି ବିଳମ୍ବରେ ପହଞ୍ଚିବାରୁ ଶୋଭାଯାତ୍ରା ବାହାରିବାରେ ସମାନ୍ୟ ବିଳମ୍ବ ହୋଇଥିଲା । ହୁଲୁରିସିଂହା, ବସଷ୍ଟାଣ୍ଡ, ଲକ୍ଷ୍ମୀବଜାର, ଆନନ୍ଦ ବଜାର, ବଜାର ଛକ, ଭଣ୍ଡୁବର, ଡେଲି ମାର୍କେଟ, କଲେଜ ଛକ, ପଞ୍ଚାୟତ ଇଣ୍ଡଷ୍ଟ୍ରିଜ୍ ଛକ, କାଞ୍ଚନ ବଜାର ଓ ଆଶ୍ରମ ଛକ ପୂଜା କମିଟି ଏଥିରେ ସାମିଲ ହୋଇଥିଲେ ।
ଏହା ପରେ ଗୋଟିଏ ପରେ ଗୋଟିଏ ମେଢ଼ ଥାନା ଛକରୁ ବାହାରି ବସଷ୍ଟାଣ୍ଡ ଦେଇ ମେଡିକାଲ ଛକ ଓ ବଜାର ଛକ ଦେଇ ହାଇସ୍କୁଲ ଖେଳ ପଡ଼ିଆରେ ପହଞ୍ଚିଥିଲେ । ବ୍ୟାଣ୍ତ ପାର୍ଟି, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଶିଙ୍ଘବାଦ୍ୟ, ଆଦିବାସୀ ନୃତ୍ୟ, ଘଣ୍ଟ ବାଦ୍ୟ ଆଦି ସହିତ ସାଉଣ୍ଡ ସିଷ୍ଟମର ମ୍ୟୁଜିକରେ ସହର ଦୁଲୁକି ଉଠିଥିଲା । ମେଢ଼ଗୁଡ଼ିକ ମନଲୋଭା ହୋଇଥିଲା । ଥାନା ଛକଠାରୁ ଆରମ୍ଭ କରି ସହର ସାରା ରାସ୍ତାର ଉଭୟ ପାର୍ଶ୍ବରେ ଲୋକମାନେ ଠିଆ ହୋଇ ମା’ଙ୍କୁ ମେଳାଣି ଦେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଚଳିତ ବର୍ଷ ଆତସବାଜିରେ ୩ଟି ପୂଜା କମିଟ୍ ବସଷ୍ଟାଣ୍ଡ, ଲକ୍ଷ୍ମୀ ବଜାର ଓ ହୁଲୁରିସିଂହା ପୂଜା କମିଟି ଭାଗ ନେଇଥିେଲ । ଚିତ୍ତାକର୍ଷକ ଆତସବାଜିରେ ଦୁଲୁକି ଉଠିଥିଲା ଅନୁଗୁଳ ସହର । ମେଳଣ ପଡ଼ିଆରେ ସମସ୍ତ କମିଟି ଏକତ୍ରିତ ହେଲା ପେର ଦେବୀଙ୍କୁ ବିସର୍ଜନ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୋଖରୀ, ନାରାୟଣ ସାଗର ଆଦିରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। କେତେକ ପୂଜା କମିଟି ନିଜ ନିଜ ସୁବିଧା ଅନୁସାରେ ମଧ୍ୟ ମୂର୍ତ୍ତି ବିସର୍ଜନ କରିଥିଲେ ।