କନକ ବ୍ୟୁରୋ : ପ୍ଲାଷ୍ଟିକ ମୁକ୍ତ ହେବ ସମଗ୍ର ବିଶ୍ୱରେ ଥିବା ସମୁଦ୍ର । ମହାସାଗର ଗୁଡିକୁ ପ୍ଲାଷ୍ଟିକ୍ ଆବର୍ଜନା ମୁକ୍ତ କରିବା ପାଇଁ ବିଶ୍ୱ ନେତାଙ୍କ ମଧ୍ୟରେ ସହମତି ହୋଇଛି । ଜାପାନର ଓସାକାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଜାପନୀ ଦିବସ । ୧୪ତମ ଜି-୨୦ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତନକୁ ନେଇ ସମସ୍ତ ସଦସ୍ୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି । ଆଗମୀ ପିଢ଼ୀକୁ ପ୍ଲାଷ୍ଟିକ ଜନିତ ସ୍ୱାସ୍ଥ୍ୟ ସଂକଟରୁ ଦୂରେଇ ରଖିବା ପାଇଁ ଦୀର୍ଘ ସୂତ୍ରୀ ଲକ୍ଷ୍ୟ ସ୍ଥିର କରିଛନ୍ତି । ୨୦୫୦ ସୁଦ୍ଧା ସମଗ୍ର ବିଶ୍ୱରେ ଥିବା ମହାସାଗର ଗୁଡିକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରିବା ପାଇଁ ସଂକଳ୍ପ ପାରିତ ହୋଇଛି ।

Advertisment

ଜି-୨୦ ସମ୍ମିଳନୀ ଅବସରରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ବାଣିଜିକ କାରବାର ବୃଦ୍ଧି ସହ ଜଳବାୟୁ ପରିବର୍ତନ ଉପରେ ଆଲୋଚନା ହୋଇଛି । ସେହିପରି ଓସାକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଢ଼ୁଥିବା ପତିଆରାର ଚିତ୍ର ସାମନାକୁ ଆସିଛି । ଦ୍ୱିତୀୟ ଦିନ ସମ୍ମିଳନୀରେ ଯୋଗ ଦେବାକୁ ଆସିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହାତ ମିଳାଇ ମୋଦିଙ୍କ ଅଭିବାଦନ କରିଛନ୍ତି । ଗତକାଲି ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିଲା ।

୭୨ ପ୍ରତିଶତ ମତଦାନ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର କ୍ଷମତାକୁ ଫେରି ଥିବାରୁ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦି ଆଜି ତୁର୍କୀ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସହ ଅନ୍ତଜାର୍ତୀୟ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହୋଇଛି । ଆତଙ୍କବାଦ ଓ ଜଳବାୟୁ ପରିବର୍ତନ ନେଇ ଦୁଇ ଦେଶର ନେତା ମିଳିତ ଭାବେ କାମ କରିବାକୁ ସହମତ ହୋଇଛନ୍ତି ।