ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି : ଜ୍ୱରରୁ ଉପସମ ଲାଗି ଚାଲିଛି ଗୁପ୍ତ ସେବା,ସେପଟେ ମହାପ୍ରଭୁଙ୍କ ଲାଗି ପ୍ରସ୍ତୁତ ହେଲାଣି ଫୁଲୁରୀ ତେଲ

206

କନକ ବ୍ୟୁରୋ : ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି । ଆଜି ଅଣସରର ଷଷ୍ଠ ଦିନ । ପରମ୍ପରା ଅନୁସାରେ ଆଜିର ଦିନରେ ମହାପ୍ରଭୁଙ୍କ ଠାରେ ଫୁଲୁରୀ ତେଲ ଲାଗି କରାଯିବ । ଏହା ମଧ୍ୟ ଏକ ଗୁପ୍ତ ନୀତି । ତେଣୁ ଏହାକୁ ଦଇତାପତି ସେବାୟତ ଗୁପ୍ତରେ ସମ୍ପାଦନ କରିବେ ।

ବଡଓଡିଆ ମଠ ତରଫରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା ଏହି ତୈଳ ଶ୍ରୀମନ୍ଦିରକୁ ପଠାଯିବ । ଏହାକୁ ଦଇତାପତି ସେବକ ଅଣସର ଘରକୁ ନେଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ । ଆଜି ପଂଚମୀରେ ଫୁଲୁରୀ ତେଲ ଲାଗି ହେବାର ବିଧି ରହିଛି । ଏହି ତୈଳ ମର୍ଧନ ଫଳରେ ମହାପ୍ରଭୁଙ୍କ ଶରୀରରୁ ଦରଜ ଉପସମ ହୋଇଥାଏ । ଘଣା ପେଡା ରାଶି ତେଲରେ କେତକୀ, ଜୁଇ, ଜାଇ, ମାଳତୀ, ବକୁଳ ଆଦି ସୁବାଷିତ ଫୁଲ କୃଷ୍ଣବୋଗ ଧାନ ଓ ବେଣା ଚେର ଏଥିରେ ମିଶ୍ରିତ ହୋଇଛି ।

ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଂଚମୀ ଠାରୁ ଏହି ସାମଗ୍ରୀକୁ ଏକାଠି କରି ଏକ ମାଟି ପାତ୍ରରେ ମାଟି ତଳେ ପୋତି ଦିଆଯାଇଥାଏ । ଗୋଟିଏ ବର୍ଷ ମାଟିତଳେ ପୋତା ଯିବା ପରେ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦଶୀରେ ଏହି ଔଷଧୀୟ ତୈଳକୁ ମାଟି ତଳୁ ବାହାର କରି ଚତୁର୍ଧାମୂର୍ତିଙ୍କ ସେବା ପାଇଁ ପଠା ଯାଇଥାଏ ।