ତେଲର ଆକାଶ ଛୁଆଁ ଦର, ବିବାହ ଉତ୍ସବରେ ମିଳିଲା ଅଭିନବ ଉପହାର : ବରକନ୍ୟାଙ୍କୁ ୫ଲିଟରର ପେଟ୍ରୋଲ ଭେଟି ଦେଲେ ବନ୍ଧୁ

51

କନକ ବ୍ୟୁରୋ : ବାହାଘରରେ ପେଟ୍ରୋଲ ଭେଟି । ବରକନ୍ୟାଙ୍କୁ ୫ ଲିଟରର ପେଟ୍ରୋଲ ଉପହାର ଦେଲେ ବନ୍ଧୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁର କୋଡାଲୋରୁରେ । ଏକ ବିବାହ ଉତ୍ସବରେ ବରଙ୍କ ସାଙ୍ଗମାନେ ମଂଚ ଉପରକୁ ଯାଇ ନବଦମ୍ପତିଙ୍କୁ ପେଟ୍ରୋଲ ଉପହାର ଦେବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କାରଣ ଜାଣିବା ପରେ ସେଠାରେ ହାସ୍ୟମୟ ପରିବେଶ ସୃଷ୍ଟି ହୋଇଥିଲା ।

ବରଙ୍କ ସାଙ୍ଗମାନେ ଆକାଶଛୁଆଁ ତେଲଦର ପ୍ରତିବାଦରେ ଏହା ଅଭିନବ ଉପହାର ବୋଲି କହିଛନ୍ତି । ତେବେ ବିବାହ ବ୍ରତରେ ଯୋଗଦେଇଥିବା ଅତିଥିମାନେ ସାଧାରଣାତଃ କିଛି ଭିନ୍ନ ଧରଣର ବା ଦାମୀ ଜିନିଷ ଉପହାର ଦେଇଥାନ୍ତି । ହେଲେ ଦେଶରେ ଦିନକୁ ଦିନ ପଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ବିବାହ ବ୍ରତରେ ଏହାକୁ ଉପହାର ରୂପରେ ଭେଟିଦେବାକୁ ପସନ୍ଦ କରୁଛନ୍ତି ଲୋକେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ତେଲ ଦର ଉପରେ ଲାଗୁନି ଲଗାମ । ମଙ୍ଗଳବାର ପେଟ୍ରୋଲ ୧୦ ପଇସା ଓ ଡିଜେଲ ୯ ପଇସା ବୃଦ୍ଧି ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟରକୁ ୮୨ ଟଙ୍କା ୧୬ ପଇସାରେ ବିକ୍ରି ହେଉଛି । ସେହିପରି ଡିଜେଲ ପ୍ରତି ଲିଟର ପିଛା ବିକ୍ରି ହେଉଛି ୭୩ ଟଙ୍କା ୮୭ ପଇସାରେ ।

ମୁମ୍ବାଇରେ ମଧ୍ୟ ପେଟ୍ରୋଲ ୧୦ ପଇସା ଓ ଡିଜେଲ ୯ ପଇସା ବୃଦ୍ଧି ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟରକୁ ୮୯ ଟଙ୍କା ୫୪ ପଇସା ଏବଂ ଡିଜେଲ ୭୮ ଟଙ୍କା ୪୨ ପଇସା ଦେଇ କିଣୁଛନ୍ତି ଲୋକେ । କୋଲକାତାରେ ପେଟ୍ରୋଲ ୮୪ ଟଙ୍କା ୧ ପଇସା ପ୍ରତି ଲିଟର ଓ ଡିଜେଲ ବିକ୍ରି ହେଉଛି ୭୫ ଟଙ୍କା ୭୨ ପଇସା । ପେଟ୍ରୋଲ ଓ ଡିଜେଲର ଲଗାତାର ମୂଲ୍ୟ ବୃଦ୍ଧି ଚେନ୍ନାଇ ବାସିନ୍ଦାଙ୍କୁ ମଧ୍ୟ ହଇରାଣ କରୁଛି । ଚେନ୍ନାଇରେ ଆଜି ପେଟ୍ରୋଲ ଲିଟର ୮୫ ଟଙ୍କା ୪୧ ପଇସା ଓ ଡିଜେଲ ୭୮ ଟଙ୍କା ୧୦ ପଇସାରେ ବିକ୍ରି ହେଉଛି ।