ବନ୍ଦ ହୋଇଯିବ ସରକାରଙ୍କ ମାଗଣା ଟ୍ରମା ଚିକିତ୍ସା ! ପରିବହନ ବିଭାଗକୁ ସ୍ବାସ୍ଥ୍ୟ ବିଭାଗର ଚିଠି, ଶେଷ ହେବାକୁ ବସିଲାଣି ସରକାରୀ ଅନୁଦାନ

311

କନକ ବ୍ୟୁରୋ : ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଗୋଲଡେନ୍ ଆୱାର୍‌ (ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା)ରେ ଚିକିତ୍ସା ଯୋଗାଇବା ପାଇଁ ସରକାର ୩ଟି ଘରୋଇ ହସ୍ପିଟାଲ‌ରେ ମାଗଣା ଟ୍ରମା ଚିକିତ୍ସାର ବ୍ୟବସ୍ଥା କରିଛନ୍ତି । ‌ଯୋଜନା ଆରମ୍ଭ ହେବାର ୬ ମାସ ଭିତରେ ୭ଶହରୁ ଊର୍ଧ୍ବ ବ୍ୟକ୍ତି ଚିକିତ୍ସା ସୁବିଧା ପାଇଛନ୍ତି । ହେଲେ ମାଗଣା ଚିକିତ୍ସା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଥିବା ଟଙ୍କା ଏବେ ପ୍ରାୟ ଶେଷ ହେବାକୁ ବସିଛି । ଏଥିପାଇଁ ପାଣ୍ଠି ‌ଯୋଗାଇଦେବା ଲାଗି ପ୍ରାୟ ମାସେ ତଳେ ପରିବହନ ବିଭାଗକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ହେଲେ ଏ ପର୍ଯ୍ୟନ୍ତ ପରିବହନ ବିଭାଗ ପକ୍ଷରୁ କୌଣସି ଉତ୍ତର ଦିଆଯାଇନାହିଁ । ଗୋଟିଏ ପଟେ ସୁପ୍ରିମକୋର୍ଟ କମିଟି ରାଜ୍ୟରେ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ପାଇଁ ସରକାର ଆରମ୍ଭ କରିଥିବା ସେବା ଏବେ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି ।

ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲାଗି ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ରାଜଧାନୀର ଆପୋଲୋ, ଆମ୍ରି ଓ କଟକର ଅଶ୍ବିନୀ ହସ୍ପିଟାଲରେ ଟ୍ରମା ଚିକିତ୍ସାର ସୁବିଧା ଥିବାରୁ ଟ୍ରମା ପାଣ୍ଠିରେ ମାଗଣା ଚିକିତ୍ସା ବା ଏଫ୍‌ଟିଟିଏଫ୍‌ ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଥିଲା । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ୪କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଚିକିତ୍ସା ଆରମ୍ଭ ହେବା ପରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ପରବର୍ତୀ ସମୟରେ ବିଲ୍ ଅନୁସାରେ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ପରେ ଏହି ଯୋଜନା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସଂପ୍ରସାରିତ ହୋଇଥା’ନ୍ତା ।
ତେବେ ସଡ଼କ ପରିବହନ ପାଣ୍ଠିରୁ ସ୍ବାସ୍ଥ୍ୟ ବିଭାଗକୁ ମିଳିଥିବା ଟଙ୍କା ଏବେ ପ୍ରାୟ ଶେଷ ହେବା ପର୍ଯ୍ୟାୟ‌ରେ । ପୂର୍ବରୁ ଚିକିତ୍ସା ବାବଦରେ ହସ୍ପିଟାଲଗୁଡ଼ିକୁ ୩ କୋଟି ଟଙ୍କା ପ୍ରଦାନ ହୋଇସାରିଥିବା ବେଳେ ଏବେ ୧କୋଟି ଟଙ୍କା ସ୍ବାସ୍ଥ୍ୟ ବିଭାଗ ପାଖରେ ରହିଛି । ହେଲେ ନିକଟ ଅତୀତରେ ହସ୍ପିଟାଲଗୁଡ଼ିକରୁ ପ୍ରାୟ ୧ କୋଟି ଟଙ୍କାର ବିଲ୍‌ ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲଗୁଡ଼ିକୁ ବିଲ୍ ପଇଠ ପ୍ରକ୍ରିୟାର ଆରମ୍ଭ ହୋଇଛି । ବିଲ୍‌ ପଇଠ ହେବା ପରେ ଟ୍ରମା ଚିକିତ୍ସା ପାଣ୍ଠି ସଂପୂର୍ଣ୍ଣ ଖାଲି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଟଙ୍କା ପ୍ରଦାନ କରିବା ପାଇଁ ପରିବହନ ବିଭାଗକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଏହାସହ ଉକ୍ତ ଚିଠିରେ ଆହୁରି ୬ଟି ହସ୍ପିଟାଲକୁ ଏଥିରେ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।
ରାଜଧାନୀରେ ଥିବା ହାଇଟେକ୍, କିମ୍‌ସ ଓ ସମ୍‌ ମେଡିକାଲ କଲେଜ, କେୟାର ହସ୍ପିଟାଲ, ସନସାଇନ୍ ଓ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ଏଥିରେ ସାମିଲ କରାଯିବା ପାଇଁ କୁହାଯାଇଛି । ନୂଆ ଭୁବନେଶ୍ବର ଅଞ୍ଚଳରେ ପ୍ରାୟ ୨ଟି ହସ୍ପିଟାଲ ଅନୁବନ୍ଧିତ ହୋଇଥିବା ବେଳେ ରାଜଧାନୀର ଅନ୍ୟ ସ୍ଥାନରେ କୌଣସି ହସ୍ପିଟାଲ ଏହି ତାଲିକାରେ ପୂର୍ବରୁ ନ ଥିଲା । ତେଣୁ ରାଜଧାନୀର ପ୍ରାୟ ସବୁ ସ୍ଥାନରେ ଟ୍ରମା ଚିକିତ୍ସା ଥିବା ହସ୍ପିଟାଲକୁ ଏଥିରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାସହ ଦକ୍ଷିଣ ଓଡ଼ିଶାରେ ଦୁର୍ଘଟଣାର ‌ଶିକାର ହେଉଥିବା ବ୍ୟକ୍ତିଙ୍କ ଲାଗି ବିଶାଖାପାଟଣାର ଟ୍ରମା ଚିକିତ୍ସା ଥିବା କୌଣସି ହସ୍ପିଟାଲ ଅନୁବନ୍ଧିତ କରାଯିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ହେଲେ ପରିବହନ ବିଭାଗ ପକ୍ଷରୁ ଏ ବାବଦରେ କୌଣସି ଉତ୍ତର ଦିଆଯାଇନାହିଁ ।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରମା ଚିକିତ୍ସା ପାଣ୍ଠିକୁ ତୁରନ୍ତ ଅର୍ଥ ଯୋଗାଇଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରିବହନ ବିଭାଗକୁ ଚିଠି ଦିଆଯାଇଛି । ଯଦି ଠିକ୍ ସମୟରେ ପାଣ୍ଠିକୁ ଟଙ୍କା ନ ଦିଆଯାଏ, ତେବେ ଘରୋଇ ହସ୍ପିଟାଲଗୁଡ଼ିକରେ ଏହି ମାଗଣା ଚିକିତ୍ସା ବନ୍ଦ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏହାସହ ପ୍ରସ୍ତାବିତ ହସ୍ପିଟାଲଗୁଡ଼ିକୁ ଅନୁମୋଦନ କରାଗଲେ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି ।