ପ୍ରାଣ ହରାଇଲେ ଆଉ ୪ ସଂକ୍ରମିତ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

699

କନକ ବ୍ୟୁରୋ :ରାଜ୍ୟରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ  ୪ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ଜଣେ ଅଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷର ମହିଳା, ୫୮ ଓ ୬୩ ବର୍ଷର ପୁରୁଷ, ଭଦ୍ରକ ଜିଲ୍ଲାର ୫୮ ବର୍ଷର ପୁରୁଷ ଥିବାର ସୂଚନା ଦିଆଯାଇଛି । ଏହି ତିନି ଜଣଙ୍କ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା ୩୦ରେ ପହଞ୍ଚିଥିବା ବେଳେ କଟକରେ ଏହି ସଂଖ୍ୟା ୫ ହୋଇଛି ।

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର, ଗଜପତି, ରାୟଗଡ଼ା, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟଙ୍କର ମୃତ୍ୟୁ ହୋଇଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଜି ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଛି । ଆଜି ୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୧୬ ଓ ଲୋକାଲ କଂଟାକ୍ଟ ୧୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୨୦୧କୁ ବୃଦ୍ଧି ପାଇଛି । ଆଜି ଗଂଜାମରୁ ସର୍ବାଧିକ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ବାଲେଶ୍ୱରରୁ ୩୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ ୧୭, କଟକରୁ ୧୪, ମୟୂରଭଂଜରୁ ୧୪, ଜଗତସିଂହପୁର ଓ ଅନଗୁଳରୁ ୭ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରର ୯, କୋରାପୁଟରୁ ୬, ବୌଦ୍ଧ ଓ ପୁରୀରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ୪, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।