କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଟିମ୍ର ବସ ଉପରକୁ ପଥରମାଡ଼ ଅଭିଯୋଗରେ ଆସାମ ପୁଲିସ ଗୁରୁବାର ୪ଜଣଙ୍କୁ ଗିରଫ କରିଛି । ଗତ ମଙ୍ଗଳବାର ଆସାମର ଗୌହାଟୀ ଠାରେ ଟି-୨୦ ମ୍ୟାଚ ଖେଳାଯାଇଥିଲା । ମ୍ୟାଚରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟିମ୍ ରାତିରେ ହୋଟେଲକୁ ଫେରିବା ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ । ଅଷ୍ଟ୍ରେଲିଆର ଖେଳାଳିମାନେ ଯେଉଁ ବସ୍ରେ ହୋଟେଲକୁ ଫେରୁଥିଲେ, ରାସ୍ତାରେ କିଛି ଲୋକ ପଥରମାଡ଼ କରିଥିଲେ । ଘଟଣାକୁ ପ୍ରଥମେ ଟିମ୍ର ଓପନର ଆରୋନ ଫିଞ୍ଚ ଟୁଇଟରେ ପୋଷ୍ଟ କରିଥିଲେ । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ରାଜ୍ୟ ମୁଖ୍ୟ ସଚିବ ଭିକେ ପିପରସନିଆଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଷ୍ଟ୍ରେଲିଆ ଟିମ୍ର ବସ ଉପରକୁ ପଥରମାଡ଼ କରିଥିବା ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଆସାମ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସହାୟ କହିଛନ୍ତି ।
୩ଟି ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ଖେଳି ବାରସପରା କ୍ରିକେଟ ଷ୍ଟାଡ଼ିୟମରୁ ଉତ୍ସାହର ସହିତ ଫେରୁଥିବା ଖେଳାଳିମାନେ ଦୁର୍ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୮ଓ୍ଵିକେଟରେ ବିଜୟ ଲାଭ କରିଥିଲା । ଅପରାଧୀଙ୍କୁ ଯେତେ ସମ୍ଭବ ଗିରଫ କରିବାକୁ ସୋନଓ୍ଵାଲ ପୁଲିସ ମହାନିର୍ଦ୍ଦେଶକ ମୁକେଟ ସହାୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅଭାବନୀୟ ଘଟଣାକୁ କେନ୍ଦ୍ର ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଘୋର ନିନ୍ଦା କରିଥିଲେ । ଟ୍ୱିଟରରେ ରାଠୋର କହିଥିଲେ, ଗୌହାଟୀରେ ପଥର ଫିଙ୍ଗା ଘଟଣା ପ୍ରମାଣ କରୁଛି ଯେ, ଦେଶରେ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅଷ୍ଟ୍ରେଲିଆ ଖେଳାଳିଙ୍କ ବସ ଉପରକୁ ନିକଟରେ ବାଂଲାଦେଶରେ ମଧ୍ୟ ଆକ୍ରମଣ ହୋଇଥିଲା। ବାଂଲାଦେଶରେ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଇଥିବା ଅଷ୍ଟ୍ରେଲିଆ ଟିମ୍ ଚିତାଗଙ୍ଗରେ ଘଟଣାର ସମ୍ମୁଖୀନ ହୋଇଥିଲେ। ପରେ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/04ff181c-b1a0-11e7-b6fd-382ae8cf2ee4.jpg)