ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଆଜି ଶେଷକୃତ୍ୟ : ପୈତୃକ ଗ୍ରାମ ଭଅଁରାଗଡରେ ହେବ ଅନ୍ତ୍ୟେଷ୍ଟିକ୍ରିୟା

39

କନକ ବ୍ୟୁରୋ : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଆଜି ହେବ ଶେଷକୃତ୍ୟ । ଭୁବନେଶ୍ୱର ଲୋହିଆ ଏକାଡେମିରେ ଆଜି ତାଙ୍କର ମରଶରୀରକୁ ଶେଷଦର୍ଶନ ପାଇଁ ରଖାଯାଇଛି । ଏହା ପରେ ତାଙ୍କର ପୈତୃକ ଗ୍ରାମ ଭଅଁରାଗଡରେ ଅନ୍ତ୍ୟେଷ୍ଟିକ୍ରିୟା କରାଯିବାର କାର୍ଯକ୍ରମ ରହିଛି । ଗତକାଲି ରାତିରେ ତାଙ୍କ ମରଶରୀରକୁ ଲୋହିଆ ଏକାଡେମିକୁ ଅଣାଯାଇଥିଲା ।

ରବି ରାୟଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସାରା ରାଜ୍ୟରେ ଆଜି ଦିନିକିଆ ଶୋକ ପାଳନ କରାଯାଉଛି । ୯୧ ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ଗତକାଲି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ରବି ରାୟ । ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ଚିକିତ୍ସିତ ହେଉଥିଲେ ।

ଏକମାତ୍ର ଓଡିଆ ଭାବେ ଲୋକସଭା ବାଚସ୍ପତି ଥିବାର ଗୌରବ ରହିଛି ରବି ରାୟଙ୍କ ନାଁରେ । ୪ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବା ରବି ରାୟ କେନ୍ଦ୍ରମନ୍ତ୍ରୀ ଭାବେ ବି କାର୍ଯ୍ୟ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।