ପ୍ରଧାନ ବିଚାରପତିରୁ ସାଂସଦ : ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଞ୍ଜନ ଗୋଗୋଇ

316

କନକ ବ୍ୟୁରୋ : ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଞ୍ଜନ ଗୋଗୋଇ । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରଞ୍ଜନ ଗୋଗୋଇଙ୍କ ଶପଥ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୧୧ଟାରେ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ତାଙ୍କୁ ରାଜ୍ୟସଭାର ସିଟ୍ ନମ୍ବର ୧୩୧ ଦିଆଯାଇଛି । ମାର୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ।

ସେପଟେ ଗୋଗୋଇଙ୍କ ସଦ୍ୟସ୍ୟତାକୁ ବିରୋଧ କରି କଂଗ୍ରେସ ସାଂସଦମାନେ ନାରାବାଜି କରିଥିଲେ । ଏହାପରେ ଗୋଗୋଇଙ୍କ ଶପଥ ବେଳେ ଗୃହ ବାହାରକୁ ଚାଲି ଯାଇଥିଲେ କଂଗ୍ରେସ ସାଂସଦ । ରଞ୍ଜନ ଗୋଗୋଇ ଥିଲେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି । ସେ ୩ ଅକ୍ଟୋବର ୨୦୧୮ ରୁ ୧୭ ନଭେମ୍ବର ୨୦୧୯ ଯାଏଁ ପ୍ରଧାନ ବଚାରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ରାଜ୍ୟସଭାକୁ ମନୋନୀତ ହେବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି। ପ୍ରଧାନ ବିଚାରପତି ଥିବାବେଳେ ରଂଜନ ଗୋଗୋଇ ରାମମନ୍ଦିର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଐତିହାସିକ ରାୟ ଶୁଣାଇଥିଲେ ।