ନୟାଗଡ଼ ଜିଲ୍ଲାରେ କାଠମାଫିଆଙ୍କ ଦୌରାତ୍ମ୍ୟ : ଅବାଧରେ କାଠ କାଟିବା ସହିତ ନିର୍ଭୟରେ ବାହାରକୁ ଚୋରା ଚାଲାଣ ହେଉଛି ବଡ଼ ବଡ଼ ଗଛ

Advertisment
ନୟାଗଡ଼ ଜିଲ୍ଲାରେ କାଠମାଫିଆଙ୍କ ଦୌରାତ୍ମ୍ୟ : ଅବାଧରେ କାଠ କାଟିବା ସହିତ ନିର୍ଭୟରେ ବାହାରକୁ ଚୋରା ଚାଲାଣ ହେଉଛି ବଡ଼ ବଡ଼ ଗଛ

http://sambad.in

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାରେ କାଠମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ଭିତରେ ପଶି ଅବାଧରେ କାଠ କାଟିବା ସହିତ ନିର୍ଭୟରେ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏବେ ଏମାନେ ଜଙ୍ଗଲ ଭିତରେ କ୍ୟାମ୍ପ କରି ବିଶାଳ ଗଛ କାଟି ଜଙ୍ଗଲ ପଦା କରି ଚାଲିଛନ୍ତି । ଏସବୁ ବନ ବିଭାଗର ନାକ ତଳେ ଚାଲିଥିଲେ ମଧ୍ୟ କାହା ପାଖରେ ଏହାର ଟିକେ ବି ସୁରାକ୍ ନାହିଁ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ବନଖଣ୍ତ ଅଧିକାରୀ ଓ ମହିପୁର ବନାଂଚଳ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଜଙ୍ଗଲରୁ କାଠ ଲୁଟ୍ ଘଟଣାକୁ ବନଖଣ୍ତ ଅଧିକାରୀ ସ୍ବୀକାର କରିବା ସହିତ ଏଥିପାଇଁ ଫରେଷ୍ଟର ଏବଂ ଗାର୍ଡ ଦାୟୀ ବୋଲି କହିଛନ୍ତି । ଏଭଳି ଏକ ଘଟଣା ନୂଆଗାଁ ବ୍ଲକ୍ ମହିପୁର ବନାଂଚଳ ଗୁମୀର ରତାଦେଇ ପାହାଡ଼ ଉପରେ ଦେଖିବାକୁ ମିଳିଛି ।

ଖବରରୁ ପ୍ରକାଶ, ମହିପୁର ବନାଞ୍ଚଳ ଗୁମୀ ଅଧୀନରେ ଥିବା ରତାଦେଇ ପାହାଡ଼ରେ ଭରି ରହିଛି ବିଭିନ୍ନ କିସମର ମୂଲ୍ୟବାନ ଗଛ । ଏହି ଦୁର୍ଗମ ଅଂଚଳ ଉପରେ ଜଙ୍ଗଲ ସଂପଦ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଜଙ୍ଗଲ ଭିତରେ ପଶି ଅବାଧରେ ବିଶାଳ ଗଛକୁ ନିର୍ଭୟରେ କାଟି ଚାଲିଛନ୍ତି। କେବଳ ସେତିକି ନୁହେଁ ଜଙ୍ଗଲ ଭିତରେ କ୍ୟାମ୍ପ କରି ଗଛ କାଟି ସାରିବା ପରେ ଆଦିବାସୀ ଲୋକଙ୍କୁ ଲଗାଇ ଗାଁକୁ ବୋହି ଆଣି ପଟା କରି ଗାଡ଼ି ଯୋଗେ ବାହାରକୁ ଚୋରା ଚାଲାଣ ହେଉଛି । ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ବନ ବିଭାଗ ସବୁ ଜାଣି ଅଜଣା ରହିଛି ।

ଏବେ ଜଙ୍ଗଲ ପଦା ହେବା ପରେ ତା’ ଭିତରେ ଲୋକେ ଚାଷଜମି କରି କାଜୁ ଗଛ ଲଗାଇଛନ୍ତି । ରତାଦେଇ ପାହାଡ଼କୁ ଲାଗି କୁସୁମଗାଡ଼ିଆ ଗାଁ ରହିଛି । ଅତି ନିପଟ ଆଦିବାସୀ ଗାଁ ଲୋକଙ୍କୁ ବନ କର୍ମଚାରୀମାନେ ହାତବାରିସି ସଜେଇ ସତ ମିଛ କହି ଜଙ୍ଗଲ ଲୁଟ୍ କରୁଛନ୍ତି । କେତେବେଳେ ସାର୍‌ଙ୍କ ନାଁ କହି ଜଙ୍ଗଲରୁ କାଠ କାଟି ନେଉଛନ୍ତି ତ ପୁଣି ଆଉ କେତେବେଳେ ବଡ଼ବାବୁଙ୍କ ନାଁ କହି କାଠ କାଟୁଛନ୍ତି। ଏମିତି ବର୍ଷ ବର୍ଷ ଧରି ଏହି ଜଙ୍ଗଲରୁ କାଠ ଲୁଟ୍ ହେଉଥିବା କୁସୁମଗାଡ଼ିଆ ଗାଁର ଆଦିବାସୀମାନେ କହିଛନ୍ତି । ସେଠାରେ ଲୋକଙ୍କୁ ଏମିତି ଅବସ୍ଥାରେ ରଖାଯାଇଛି, ଯଦି କେହି ବାହାରୁ ବାବୁମାନେ ଆସନ୍ତି ତେବେ ସମସ୍ତେ ଚୁପ୍ ରହିଯାଆନ୍ତି । କେହି କିଛି ନ ଜାଣିବାର ଅଭିନୟ କରନ୍ତି। ଯଦି ପାଟି ଖୋଲିବେ ତେବେ ଜଙ୍ଗଲକୁ ସବୁଦିନ ପାଇଁ ଯିବା ରାସ୍ତା ବନ୍ଦ ହୋଇଯିବାର ଧମକ ମଧ୍ୟ ଦିଅନ୍ତି । ଏବେ ଖୋଲାଖୋଲି ଭାବେ ଅହରହ ଜଙ୍ଗଲରୁ କାଠ କଟା ଚାଲିଛି । ଗୋଟିଏ ଗୋଟିଏ ଗଛର ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ରତାଦେଇ ଜଙ୍ଗଲର ଅବସ୍ଥା ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହେବ । ଗତ ଅଗଷ୍ଟ ୧୫ ତାରିଖ ଦିନ ସାର୍‌ଙ୍କ ନାଁରେ କାଠ ଚାଲାଣ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବନାଂଚଳ ଅଧିକାରୀ ଗୁମୀ ଯାଇ ବୁଲି ଚାଲି ଆସିଥିଲେ । ଏହାର ଖୋଳତାଡ଼ ନ କରି କାମ ତୁଟାଇ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଜଙ୍ଗଲରୁ ଏତେ ଗଛ କାହା ନିର୍ଦ୍ଦେଶରେ କଟା ଯାଇଛି । ସେସବୁ କାଠ କେଉଁଠି ଅଛି, କାହା କାମରେ ଲାଗିଛି । ଏଥିପାଇଁ ସରକାରୀ ଭାବେ କିଛି ନିର୍ଦ୍ଦେଶନାମା ମିଳିଥିଲା କି? ଯଦି ମିଳିନଥିଲା ତେବେ ଏଥିପାଇଁ ଦାୟୀ କିଏ? ଏହି କାଠ ସବୁ ବିଭିନ୍ନ ଟିମ୍ବର ଡିପୋମାନଙ୍କୁ ଚୋରା ଚାଲାଣ ହୋଇନି ତ? ଏମିତି ଅନେକ ପ୍ରଶ୍ନ ଉଠୁଛି ।

ଏବେ ବି ପାହାଡ଼ ଉପରେ ବିଶାଳ କାଠ ଗଣ୍ତି ସବୁ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୁର୍ନୀତିର ଚେର ତଳୁ ଉପରସ୍ତର ପର୍ଯ୍ୟନ୍ତ ଲମ୍ବି ଥିବା ଅନୁମାନ କରାଯାଉଛି । ମୋଟା ଅଙ୍କର ପାଉଣା ପାଇବା ଆଶାରେ ବନ କର୍ମଚାରୀମାନେ ଜଙ୍ଗଲକୁ ଧ୍ବଂସ କରି ଚାଲିଛନ୍ତି  । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ବନଖଣ୍ତ ଅଧିକାରୀ ଧନରାଜ୍ ଏଚ୍‌ଡି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଜଙ୍ଗଲରେ କାଠକଟା ଘଟଣାକୁ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଜଙ୍ଗଲରେ ପଡ଼ିଥିବା କାଠକୁ ଆମେ ଜବତ କରିଛୁ। କିନ୍ତୁ ଏହା କେଉଁ ବିଭାଗ ଅଧୀନରେ ଯାଉଛି, ତାହା ତଦନ୍ତ ହେବା ପରେ ଜଣାପଡ଼ି । ତେବେ ଜଙ୍ଗଲରୁ ମୂଲ୍ୟବାନ୍ କାଠ କାଟିବା ପଛରେ ଫରେଷ୍ଟର ଏବଂ ଗାର୍ଡ ଦାୟୀ ବୋଲି ବନଖଣ୍ତ ଅଧିକାରୀ ଧନରାଜ୍ ଏଚ୍‌ଡି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe