ପାଖରେ ଅର୍ଥ ନାହିଁ ହେଲେ ଆଖିରେ ଅସୁମାରୀ ସ୍ୱପ୍ନ : ଯୁକ୍ତ ଦୁଇରେ ରାୟଗଡା ସ୍ୱୟଂଶାସିତ କଲେଜରେ ପ୍ରଥମ ସ୍ଥାନ ଅଧିକାର ପରେ ସଦାନନ୍ଦଙ୍କ ପାଠପଢାରେ ପଡ଼ିଛି ଡୋରି

151

କନକ ବ୍ୟୁରୋ : ଦୃଢ଼ ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ସମସ୍ତ ବାଧା ବିଘ୍ନକୁ ପରାସ୍ତ କରି ପାରେ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାୟଗଡ଼ା ଜିଲ୍ଲା ମେଲକଯୁବା ଗାଁର ସଦାନନ୍ଦ ଭଦ୍ରା । ଜଣେ ସାମାନ୍ୟ ଗାଈଚରାଳି ପୁଅଙ୍କ ସଫଳତାକୁ ରୋକି ପାରିନାହିଁ ଦାରିଦ୍ର‌୍ୟ । ହେଲେ ଆଗକୁ ବଢ଼ିବାକୁ ପାଦରେ ବେଡ଼ି ପକାଇଛି ଅର୍ଥ ।

ମନରେ ଦୃଢ଼ ଇଚ୍ଛା ଶକ୍ତି, ଆଖିରେ ଅସୁମାରୀ ସ୍ୱପ୍ନ । ହେଲେ ଆଗକୁ ବଢ଼ିବାକୁ ନାହିଁ ଅର୍ଥବଳ । କାରଣ ଅର୍ଥ ହିଁ ସାଜିଛି ସଦାନନ୍ଦଙ୍କ ଜୀବନର କଳାବାଦଲ । ବାପା ଗୋରୁ ଚରାଇ ସ୍ୱଳ୍ପ ରୋଜଗାର କରୁଥିବାବେଳେ, ମା’ କୁଲି ମଜୁରୀ କାମକରି ତେଲଲୁଣର ସଂସାର ଚଳାଇନିଅନ୍ତି । ସଦାନନ୍ଦ ଦଶମ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ରାୟଗଡା ସ୍ୱୟଂଚାଳିତ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଳାରେ ୭୫ ପ୍ରତିଶତ ମାର୍କ ରଖି କଲେଜ୍ରେ ପ୍ରଥମସ୍ଥାନ ଅଧିକାର କରିଥିଲେ । ହେଲେ ସଦାନନ୍ଦଙ୍କୁ ଉଚ୍ଚ ଶିକ୍ଷିତ କରାଇବାକୁ ବପା-ମା’ଙ୍କ ଇଚ୍ଛା ରହିଥିଲେ ବି ଆର୍ଥିକ ଅଭାବରୁ ଏହା ସମ୍ଭବ ହୋଇପାରୁନି ।

ଗୋଟିଏ ଛୋଟିଆ ଦୁର୍ଘଟଣାରେ ସାନପୁଅକୁ ହରାଇଥିବା ବାପା-ମା’ ବଡ଼ ପୁଅର ସଫଳତାକୁ ପ୍ରେତ୍ସାହିତ ନକରିପାରିବାକୁ ନେଇ ଚିନ୍ତାରେ ପଡିଛନ୍ତି । ସଦାନନ୍ଦ ପାଠ ଛାଡ଼ିବା ପରେ ବାପାଙ୍କୁ କପା ଚାଷରେ ସାହାଯ୍ୟ କରୁଛନ୍ତି । ଅପରପକ୍ଷରେ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା କରୁଥିବାବେଳେ ତାହା ସଦାନନ୍ଦଙ୍କ ପାଖରେ ପହଂଚିପାରିନାହିଁ । ଜିଲ୍ଲା ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସଦାନନ୍ଦଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢାଇଲେ ସଦାନନ୍ଦ ଓ ତାଙ୍କ ବାପା ମା’ଙ୍କ ସ୍ୱପ୍ନ ସାକାର ହୋଇପାରନ୍ତା ।