ଉତ୍ତର-ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି : ଗାଡି ଚଳାଚଳ ପ୍ରଭାବିତ, ଜନଜୀବନ ଅସ୍ତବ୍ୟସ୍ତ

146

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଉପକୂଳ ଓଡିଶା ସମେତ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି ପ୍ରବଳ କୁହୁଡି । ଖୋର୍ଦ୍ଧା ଜିଲ୍ଲାର ବାଙ୍କିରେ କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ ମୁହଁକୁ ମୁହଁ ଦେଖାଯାଉନି । ରାସ୍ତାରେ ଗାଡି ମୋଟର ଯାଆସ କରିବା ମୁସ୍କିଲ ହୋଇପଡ଼ିଛି । କେନ୍ଦ୍ରାପଡା ଜିଲ୍ଲାର ପାଟକୁରା, ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି ବହଳିଆ କୁହୁଡିଆ ଆସ୍ତରଣ । ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ବି ସକାଳୁ ସକାଳୁ ଦେଖିବାକୁ ମିଳିଛି କୁହୁଡିର ପ୍ରଭାବ । ସକାଳେ ସକାଳେ କୁହୁଡି ପରିମାଣ ଏତେ ରହିଛି ଯେ ସାଧାରଣ ଗାଡିମୋଟର ଯାଆସ ପ୍ରଭାବିତ ହୋଇଛି ।

ସେପଟେ ଦୁଇ ଦିନର ଅଦିନିଆ ବର୍ଷା ପରେ ଆଜି ଠାରୁ ବଢ଼ିବ ଶୀତ । ଆକାଶ ମେଘମୁକ୍ତ ରହିବ । ତାପମାତ୍ରା କମିବ । ଫଳରେ ପୁଣି ଥରେ ସାରାରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଏଥିସହ ଦୁଇ ଦିନ ଯାଏ ଘନ କୁହୁଡି ହେବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ଆଜି ସକାଳୁ । ବିଶେଷକରି ପୁରୀ, କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଏତେ ପରିମାଣରେ ରହିଛି ଯେ କିଛି ମିଟର ବ୍ୟବଧାନରୁ ଦେଖିବା କଷ୍ଟକର ହୋଇଯାଇଛି । ତେବେ ଆସନ୍ତା ୮ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି ।