ରାଜ୍ୟରେ ସବୁଠି କମୁଛି ତାପମାତ୍ରା : ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ

254
କନକ ବ୍ୟୁରୋ : ସବୁଠି କମୁଛି ରାତିର ତାପମାତ୍ରା । ଦାରିଙ୍ଗବାଡ଼ିଠାରୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ଯ୍ୟନ୍ତ, ରାତିର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି । ଉପକୂଳ ଓଡ଼ିଶାର ବି ଅଧିକାଂଶ ସହରର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ଗତକାଲି କଟକରେ ରାତିର ତାପମାତ୍ରା ୧୬.୨ ଡିଗ୍ରିକୁ ହ୍ରାସ ପାଇଥିଲା । ବାଲେଶ୍ବର ତାପମାତ୍ରା ବି ୧୬.୬, ଭୁବନେଶ୍ବରରେ ୧୭.୮ ଡିଗ୍ରି ରେକର୍ଡ କରାଯାଇଛି । ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ହେଉଥିବାରୁ ଜନଜୀବନ ବି ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ପରିବର୍ତନ ହେବନି । ସକାଳୁ ଭୁବନେଶ୍ବରରେ ସାମାନ୍ୟ କୁହୁଡ଼ି ପଡ଼ିବା ସହ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ଭିତରେ ରହିବ। ଆଜି ସକାଳୁ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଛି । ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୨.୫, କୋରାପୁଟରେ ୧୩.୬, ଅନୁଗୁଳରେ ୧୩.୬, ଫୁଲବାଣୀରେ ୧୩.୮, ଟିଟିଲାଗଡ଼ରେ ୧୪.୧ ଡିଗ୍ରି ରହିଥିଲା ।