ସହରାଞ୍ଚଳରେ ଫ୍ଲାଇ ଆସ୍‌ ଇଟାରେ ନିର୍ମାଣ ହେବ ଘର : ଖୁବଶୀଘ୍ର ନିୟମ ଆଣିବେ ସରକାର

Advertisment
ସହରାଞ୍ଚଳରେ ଫ୍ଲାଇ ଆସ୍‌ ଇଟାରେ ନିର୍ମାଣ ହେବ ଘର : ଖୁବଶୀଘ୍ର ନିୟମ ଆଣିବେ ସରକାର

image courtesy-http://www.taramachines.com/

କନକ ବ୍ୟୁରୋ : ସମସ୍ତ ସହରାଞ୍ଚଳରେ ଘର ନିର୍ମାଣ ସମୟରେ ଫ୍ଲାଇ ଆସ୍‌ ଇଟା ବ୍ୟବହାର ହେବ । ଏଥିପାଇଁ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି । ସହରାଞ୍ଚଳରେ ଘର ନିର୍ମାଣରେ ଯେପରି ଫ୍ଲାଇ ଆସ୍‌ ଇଟା ବ୍ୟବହାର ହେବ ସେଥିପାଇଁ ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିଲଡିଂ ବାଇ ଲ’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ ବୋଲି ନିକଟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଏବେ ନାଲି ଇଟା ପ୍ରସ୍ତୁତ ପାଇଁ ମାଟିରେ ପ୍ରସ୍ତୁତ ଇଟାକୁ ପୋଡ଼ିବା ଦ୍ୱାରା ଏହାର ଧୂଆଁରେ ପରିବେଶ ଉପରେ କୁପ୍ରଭାବ ପଡ଼ୁଛି । ତେଣୁ ତାପଜ ବିଦ୍ୟୁତ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇ ଆସ୍‌ର ବହୁ ଭାଗ ଯେପରି ଇଟା ନିର୍ମାଣରେ ବ୍ୟବହାର ହୋଇପାରିବ ସେନେଇ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏପରିକି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଯେ, ସେମାନଙ୍କର ଶତ ପ୍ରତିଶତ ଫ୍ଲାଇ ଆସ୍‌ର ଉଚିତ ବ୍ୟବହାର ହୋଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜଣାପଡ଼ିଛି ଯେ, ୨୦୧୭-୧୮ରେ ତାପଜ ବିଦ୍ୟୁତ କେନ୍ଦ୍ରରୁ ଯେତିକି ଫ୍ଲାଇ ଆସ୍‌ ବାହାରୁଛି ତା’ର ୮୦.୭୪% ପୁନଃ ବ୍ୟବହାର ହୋଇପାରୁଛି । ଯେତେବେଳେକି ୨୦୧୬-୧୭ରେ ଏହା ୬୭.୮୨% ଥିଲା। ତେଣୁ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଶତ ପ୍ରତିଶତ କରିବା ପାଇଁ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଛି । ଫ୍ଲାଇ ଆସ୍‌ ଯେପରି ଅଧିକ ବ୍ୟବହାର ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକଳ୍ପରେ ଏହାକୁ ଅଗ୍ରାଧିକାର ଭିତ୍ତିରେ ବ୍ୟବହାର କରାଯିବ।  ଏଥିପାଇଁ କମ୍ପାନିଗୁଡ଼ିକ ୩୦୦କିମି ଦୂରତା ପର୍ୟ୍ୟନ୍ତ ବିନା ଦେୟରେ ଫ୍ଲାଇ ଆସ୍‌ ପହଞ୍ଚାଇବେ । ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଥମ ୧୦୦କିମି ପର୍ୟ୍ୟନ୍ତ କୌଣସି ଦେୟ ଦେବାକୁ ପଡ଼ିବନି । ଏହାପରେ ଯେତେ କିମି ଗାଡ଼ି ଯିବ ତାହାର ଖର୍ଚ୍ଚ କମ୍ପାନି ଓ ବ୍ୟବହାରକାରୀ ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି ।
publive-image

ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ନାଲ୍‌କୋର ଅନୁଗୁଳସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇ ଆସ୍‌ର ମାତ୍ର ୪୬.୭୭% ବ୍ୟବହାର ହେଉଛି । ତେଣୁ ଶତ ପ୍ରତିଶତ କରିବାକୁ କୁହାଯାଇଛି । ଦୁଇ ମାସ ପରେ ଏହା ଶତ ପ୍ରତିଶତ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏନ୍‌ଟିପିସିରେ ବାର୍ଷିକ ୭.୨୯ମିଲିଅନ୍‌ ଟନ୍‌ ଫ୍ଲାଇ ଆସ୍‌ ବାହାରୁଥିବାବେଳେ ଏଥିରୁ ୪୭.୪୯% ପୁନଃ ବ୍ୟବହାର ହୋଇପାରୁଛି। ଏନ୍‌ଟିପିସି କର୍ତ୍ତୃପକ୍ଷ କହିଛନ୍ତି ଯେ, ବର୍ତ୍ତମାନ ବାହାରୁଥିବା ଫ୍ଲାଇ ଆସ୍‌ଗୁଡ଼ିକୁ ସେମାନେ ରାସ୍ତା ନିର୍ମାଣ ସମୟରେ ବ୍ୟବହାର କରୁଛନ୍ତି । ପୂର୍ତ୍ତ ବିଭାଗ ସହ ଯୋଗାଯୋଗ କରି ପଦକ୍ଷେପ ନିଆଯାଉଛି । ଶତ ପ୍ରତିଶତ ଫ୍ଲାଇ ଆସ୍‌ ବ୍ୟବହାର ପାଇଁ ନୂଆ ପାଇପ୍‌ ଲାଇନ୍‌ ବିଛା ଯାଉଥିବାରୁ ଏହା କାର୍ଯ୍ୟକାରୀ ହେବାକୁ ଆଉ ୧୮ ମାସ ଲାଗିବ ।

ଝାରସୁଗୁଡ଼ା ସ୍ଥିତ ଓପିଜିସି ପ୍ଲାଣ୍ଟରୁ ୧.୦୯ମିଲିଅନ ଟନ୍‌ ଫ୍ଲାଇ ଆସ୍‌ ବାହାରୁଥିବାବେଳେ ଏହାର ୫୫.୪% ବ୍ୟବହାର ହୋଇଛି । ବିଭିନ୍ନ ସ୍ଥାନରେ ତଳିଆ ଅଞ୍ଚଳ ପୂରଣ ପାଇଁ ଏହା ବ୍ୟବହାର ହେଉଛି । ଏହି ପ୍ଲାଣ୍ଟ ଦୂରରେ ଥିବାରୁ ଫ୍ଲାଇ ଆସ୍‌ର ସଦୁପଯୋଗ ହୋଇପାରୁନି । ତେଣୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ହୀରାକୁଦସ୍ଥିତ ହିଣ୍ଡାଲକୋରୁ ୦.୯୪ ମିଲିଅନ ଟନ୍‌ ଫ୍ଲାଇ ଆସ୍‌ ବାହାରୁଥିବାବେଳେ ଏଥିରୁ ୬୩.୪୧% ବ୍ୟବହାର ହେଉଛି । ଏହି ଫ୍ଲାଇ ଆସ୍‌ ରାସ୍ତା ପ୍ରଶସ୍ତିକରଣ ଏବଂ ତଳିଆ ଅଞ୍ଚଳ ପୋତିବାରେ ମୁଖ୍ୟତଃ ବ୍ୟବହାର ହେଉଛି । ଆଦିତ୍ୟ ଆଲୁମିନିୟମ, ହିଣ୍ଡାଲକୋରୁ ୧.୫୩ ମିଲିଅନ ଟନ୍‌ ଫ୍ଲାଇ ଆସ୍‌ ବାହାରୁଥିବାବେଳେ ଏହାର ୭୩.୧୪% ବ୍ୟବହାର ହେଉଛି । ଏଥିରୁ ଅଧିକାଂଶ ସିମେଣ୍ଟ ପ୍ରସ୍ତୁତିରେ ବ୍ୟବହାର ହେଉଛି । ଆଠଗଡ଼ସ୍ଥିତ ଭୁବନେଶ୍ୱର ପାଓ୍ଵାରରୁ ୦.୩୫ ମିଲିଅନ ଟନ୍‌ ଫ୍ଲାଇ ଆସ୍‌ ବାହାରୁଥିବାବେଳେ ଏହାର ୫୬.୨୪% ବ୍ୟବହାର ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe