ଚାରି ଆଡେ ପାଣି ହିଁ ପାଣି । ବିହାରରେ ବିପଦରେ ଜୀବନ । ଗୋଟେପଟେ କରୋନା ବିସ୍ଫୋରଣ ଅନ୍ୟପଟେ ବନ୍ୟା ବିତ୍ପାତ ରାଜ୍ୟବାସୀଙ୍କ ପାଇଁ କାଳ ସାଜିଛି

155

କନକ ବ୍ୟୁରୋ : ଯେଉଁ ପାଣି ବିନା ଜୀବନ ସମ୍ଭବ ନୁହେଁ ସେହି ପାଣି ଆଜି ବିପଦର କାରଣ ହୋଇଛି । ଲଗାଣ ବର୍ଷା ଯୋଗୁଁ ବିହାରର କୋଶି, ଅଧୱାର, ବାଗମତି, ମହାନନ୍ଦା ଓ ଘାଘରା ନଦୀରେ ବନ୍ୟା ଆସିଛି । ଆଉ ଉତର ବିହାରର ଅଧିକାଂଶ ଜିଲ୍ଲାରେ ବିତ୍ପାତ ମଚାଇଛି । ନଦୀ ବନ୍ଧ ଡେଇଁ ଜନବସତି ଭିତରେ ପଶିଯାଇଛି ବନ୍ୟା ଜଳ ।

ଯୁଆଡେ ଚାହିଁବ ଚାରି ଆଡେ ଖାଲି ପାଣି ଆଉ ପାଣି । ଘର ଭିତରେ ଓ ବାହାରେ ସବୁଆଡେ ଜଳ ମୟ । ଘର ଭିତରେ ପାଣି ପଶିଯିବା ପରେ ଦୁର୍ବିିସହ ହୋଇ ପଡିଛି ଜନଜୀବନ । ଲୋକମାନେ ଘର ଛାଡି ଉଚ୍ଚାସ୍ଥାନକୁ ଯିବାକୁ କରିବାକୁ ବାଧ୍ୟ ହୋଇଛନ୍ତି । ଲୋକମାନେ ଜାତୀୟ ରାଜପଥ ଉପରେ ଟେଂଟ ଲଗାଇଛନ୍ତି ।

ଯେଉଁ ରାସ୍ତାରେ ଲୋକମାନେ ଗାଡି ଚଢ଼ି, ସାଇକେଲ ଚଲାଇ ଯାତାୟତ କରିଥାନ୍ତି ସେହି ରାସ୍ତା ଉପରେ ଏବେ ଜଳାଶୟର ଭ୍ରମ । ରାସ୍ତା ଉପରେ ଚାଲୁଛି ଡଙ୍ଗା ନହେଲେ ଭେଳା । ଜଳବନ୍ଦୀ ହୋଇଥିବା ଲୋକମାନେ ଏହି ଡଙ୍ଗା କିମ୍ବା ଭେଳା ସହାୟତାରେ ଉଚ୍ଚା ସ୍ଥାନକୁ ଯିବା ପାଇଁ ବ୍ୟବହାର କରୁଛନ୍ତି । ବନ୍ୟାରେ ୧୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟାର ପ୍ରକୋପରେ ଗୁରୁବାର ଧୋଇଯାଇଛି ଗେପାଳଗଂଜ ଓ ଚମ୍ପାଚରଣକୁ ଯୋଡୁଥିବା ଏହି ପୋଲ । ବନ୍ୟା ଜଳର ସ୍ରୋତ ଏତେ ପ୍ରଖର ଥିଲା ଯେ ପୋଲ ଭାସିଯାଇଛି । ଫଳରେ ଦୁଇଟି ଜିଲ୍ଲାରେ ଯୋଗାଯୋଗ ସମ୍ପୂର୍ଣ୍ଣଭାବେ ବିଚ୍ଛିନ ହୋଇଛି । କେବଳ ଏହି ପୋଲ ନୁହେଁ ବନ୍ୟା ଜଳର ପ୍ରଖର ସ୍ରୋତରେ ଅନେକ ଛୋଟ ପୋଲ ଧୋଇ ଯାଇଛି । ଗୋଟେପଟେ ବିହାରରେ କରୋନା ବିସ୍ଫୋଟ ହେଉଥିବାବେଳେ ଅନ୍ୟପଟେ ବନ୍ୟା ବିତ୍ପାତ ରାଜ୍ୟବାସୀଙ୍କ ପାଇଁ କାଳ ଆଣିଛି । ବନ୍ୟାରେ ବେହାଲ ହୋଇଛି ବିହାର ।