ଅସ୍ତରଙ୍ଗରେ ଲଗାଣ ବର୍ଷା : ବନ୍ୟାପାଣି ପଶିବାରୁ ଗାଁ ଛାଡୁଛନ୍ତି ଲୋକେ

138

କନକ ବ୍ୟୁରୋ : ଗୋଟିଏ ପଟେ ଲାଗି ରହୁଛି ବର୍ଷା, ଏପଟେ ଗାଁରେ ପଶିଲାଣି ବନ୍ୟା ଜଳ । ଅସ୍ତରଙ୍ଗରେ ଲୋକଙ୍କୁ ଡରେଇଲାଣି ବନ୍ୟା ଜଳ । ପ୍ରବଳ ବର୍ଷା ପରେ ନଦୀର ବନ୍ୟାଜଳ ସମୁଦ୍ରକୁ ଯିବା ବଦଳରେ ଗାଁକୁ ପଶି ଆସିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଦେଖିବାକୁ ମିଳିଛି ବନ୍ୟାର କରୁଣ ଚିତ୍ର । ପ୍ରବଳ ବର୍ଷା ପରେ ପ୍ରାଚୀ ଓ କାଦୁଆ ନଦୀରେ ଜଳସ୍ତର ବଢିବାରେ ଲାଗିଥିଲା ।  ମାସକ ତଳୁ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା କେଲୁଣି ମୁହାଣ ବନ୍ଦ ହୋଇଯାଇଥିବାରୁ ଏହି ବନ୍ୟା ଜଳ ଏବେ ସମୁଦ୍ରକୁ ନିଷ୍କାସିତ ହୋଇପାରୁନି  । ଯାହା କାକଟପୁର ଅସ୍ତରଙ୍ଗ ବ୍ଲକ ର ୫ ପଂଚାୟତରେ ପଶିଛି ।

ଏଥିରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୨୦ ହଜାରରୁ ଅଧିକ ଲୋକ । ଏବେ ଘରେ ପାଣି , ଧାନ ଜମିରେ ବି ଅଂଟାଏ ପାଣି । ଅସ୍ତରଙ୍ଗର ୩ଟି ପ୍ରମୁଖ ରାସ୍ତାରେ ଏବେ ପାଣି ଚାଲୁଛି । ଫଳରେ କାକଟପୁର ବ୍ଲକର ନଡିଆମଠ, ଉଦୟକଣ, ତତ୍ପହାର, ଛେନୁଆ, କଲମକଣି ପରି ୫ଟି ଗାଁ କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ପ୍ରାଚୀ ନଦୀର ବନ୍ୟା ଜଳ ମାଡି ଆସି ଏପରି ସ୍ଥିତି ସୃଷ୍ଟି କରିଛି । ରାସ୍ତା ଉପରେ ପାଣି ଚାଲୁଥିବା ବେଳେ ଲୋକେ ଭେଳା ସାହାଯ୍ୟରେ ଦରକାରୀ ଜିନିଷ ନେବା ଆଣିବା କରୁଛନ୍ତି । ଏବେ ପାଣି ଘେରରେ ହଜାର ହଜାର ହେକ୍ଟର ଧାନ ଫସଲ ।

ପାଣି ଅଧିକ ଦିନ ଏପରି ରହିଲେ ପୁରା ଚାଷ ଉଜୁଡି ଯିବ । ଏହାକୁ ନେଇ ଚିନ୍ତାରେ ପଡିଲେଣି ଚାଷୀ କୂଳ । କିଛି ଲୋକ ବନ୍ୟାକୁ ଦେଖି ଗାଁ ଛାଡିବା ଆରମ୍ଭ କରିଦେଇଛନ୍ତି । ତେଣୁ ଯୁଦ୍ଧକାଳୀନ ଭିତିରେ ତୁରନ୍ତ କେଲୁଣି ମୁହାଁଣ ଖୋଳାଇ, ବନ୍ୟାଜଳ ନିଷ୍କାସନ କରାଇବା ବାଟ ବାହାର କରିବାକୁ ଲୋକେ ଦାବି କରିଛନ୍ତି । ନଚେତ୍ ଆଗକୁ ସ୍ଥିତି ଅତି ଭୟଙ୍କର ହେବ ବୋଲି ଲୋକେ କହିଛନ୍ତି ।

ସେପଟେ ଦୁଇଦିନର ଲଗାଣ ବର୍ଷା ଫଳରେ ନବରଙ୍ଗପୁର ଜିଲ୍ଲାରେ ଜଳର ତାଣ୍ଡବ । ପାଣି ଯୋଗୁଁ  ଅନେକ  ପଂଚାୟତ ଜଳମଗ୍ନ ହୋଇଛି ।  କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଉକିଆପାଲି ପଂଚାୟତର ଅନେକ ଗାଁ ପାଣିଘେରରେ ରହିଛି ।  ପ୍ରାୟ ୫ ହଜରାରରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ପାୱାର ବୋଟ ସହାୟତାରେ  ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନେଇଛି ।