ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାସ୍ଥିତି । କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ଆସିଲା ଜଳ ପ୍ରଳୟର ଚିତ୍ର, ହୀରାକୁଦରେ ଖୋଲିଲା ୧୫ଟି ଗେଟ୍ । ୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା

148

କନକ ବ୍ୟୁରୋ : ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାରେ ଉବୁଟୁବୁ ଅବସ୍ଥା । ଗୋଦାବରୀରେ ପାଣି ବଢିବା କାରଣରୁ ସାବେରୀ ଓ ସିଲେରୁ ନଦୀ ଫୁଲି ଉଠିଛି ଏବଂ ମାଲକାନଗିରିର ବିଭିନ୍ନ ଗ୍ରାମାଂଚଳ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏପଟେ ଉପକୂଳ ଅଂଚଳରେ ମଧ୍ୟ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । କିଛି ସ୍ଥାନରେ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିବାକୁ ପଡିଛି । ରାଜ୍ୟ ସରକାର ମଧ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ଆସୁଥିବାରୁ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚାରିଆଡେ କେବଳ ପାଣି, ଆଉ ପାଣି । ଲଗାଣ ବର୍ଷାର ପ୍ରଭାବରେ ଅଶାନ୍ତ ହୋଇ ଉଠିଛି ଗୋଦାବରୀ । ଆଉ ଗୋଦାବରୀର ପଛୁଆ ପାଣି ଯୋଗୁଁ ମାଲକାନଗିରିରେ ବଢୁଛି ସାବେରି ଓ ସିଲେରୁ ନଦୀର ପାଣି । ଗୋଟିଏ ପଟେ ବର୍ଷା ଜଳ ନିଷ୍କାସିତ ହୋଇ ପାରୁନଥିବା ବେଳେ ଆଉ ଗୋଟିଏ ପଟେ ଗୋଦବରୀର ପଛୁଆ ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ଗୋଦାବରୀ ନଦୀର ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ମୋଟୁରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ମୋଟୁ ତହସିଲରର ଅନେକ ଗାଁ ଏବେ ଜଳମଗ୍ନ । ବାହ୍ୟ ଜଗତରୁ ଏକପ୍ରକାର ବିଛିନ୍ନ ହୋଇଯାଇଛି । ଏଭଳି ସ୍ଥିତିରେ ଜଳବନ୍ଦୀ ହୋଇ ରହିଥିବା ତଳିଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମୋଟୁ ମୁଗି ପଏଂଟ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ପ୍ରଶାସନ ।

ଏପଟେ କେନ୍ଦ୍ରାପଡ଼ାରୁ ଆସିଛି ଏକ ଅଭବାନୀୟ ଖବର । ବନ୍ୟା ପାଣିରେ ଫଶି ରହିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଘୁଷୁରୀ ଚରାଇବା ପାଇଁ ବିରୂପା ନଦୀ ଅବହାକାକୁ ଯାଇଥିବା ବେଳେ ଅଚାନକ୍ ମାଡ଼ି ଆସିଥିଲା ବନ୍ୟା ପାଣି ।

ଘୁଷୁରୀମାନେ ପାଣିରେ ଭାସିଯାଇଥିବା ବେଳେ ଦୁଇ ଜଣ ଯୁବକ ଗଛ ଉପରକୁ ଛଢ଼ି ଯାଇଥିଲେ । ଗଛ ଉପରେ ସାରା ରାତି କଟାଇବା ପରେ ସକାଳୁ ତାଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ସ୍ଥିତିର ମୁକାବିଲା ନେଇ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ମାଲକାନଗିର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରପଡା, ବରଗଡ, ସୁବର୍ଣ୍ଣପୁର ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ ।

ଏପଟେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀକୁ କେତେ ପାଣି ପ୍ରବେଶ କରୁଛି ତା’ଉପରେ ନଜର ରଖିଛି ଜଳ ସଂପଦ ବିଭାଗ । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଡ୍ୟାମ୍ର ୧୫ଟି ଗେଟ୍ ଖୋଲା ଯାଇଛି । ଏବେ ହୀରାକୁଦରେ ଜଳସ୍ତର ୬୧୫ ଦଶମିକ ୭୫ ଫୁଟ ରହିଛି । ଏସବୁ ଭିତରେ ଆଗକୁ ଆଉ ଏକ ଲଘୁଚାପର ସଂଭାବନା ଥିବାରୁ ଜଳ ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ ଉପରେ ରହିଛି ସରକାରଙ୍କ ନଜର ।