କନକ ବ୍ୟୁରୋ : ବୈତରଣୀରେ ବଢୁଛି ବନ୍ୟା । ଉପରମୁଣ୍ଡ ଓ ଅବବାହିକାରେ ଲଘୁଚାପ ଜନିତ ବର୍ଷା କାରଣରୁ ଫୁଲୁଛି ବୈତରଣୀ ନଦୀ । ଆଜି ରାତି କିମ୍ବା ଆସନ୍ତା ସକାଳ ସୁଦ୍ଧା ବୈତରଣୀ ନଦୀରେ ଏକ ବଡ ବନ୍ୟା ଆସୁଥିବା ସୂଚନା ମିଳିଛି । ପାଣି ବଢିବା ପରେ ୪ଟି ଜିଲ୍ଲାକୁ ସତର୍କ କରାଇଛି ଜଳସମ୍ପଦ ବିଭାଘ । ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡା । ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଚି । ବନ୍ୟାରେ ଏହି ଜିଲ୍ଲାଗୁଡକର ୧୪ଟି ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । ସଂପୃକ୍ତ ଅଂଚଳର କ୍ଷେତ୍ର କର୍ମଚାରୀଙ୍କୁ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନଦୀବନ୍ଧର ଦୁର୍ବଳ, କେନାଲ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଓଡ୍ରାଫ ଓ ଏନଡିଆରଏଫ କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ବୈତରଣୀ ନଦୀର ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଛି । ରାତି ୯ଟା ବେଳକୁ ଏଠାରେ ୩୮.୩୬ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିଭଳି ଆଖୁଆ ପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏଠାରେ ଜଳସ୍ତର୧୮.୩୦ ମିଟର ପହଞ୍ଚିଲାଣି । ସ୍ୱତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଆନନ୍ଦପୁରରେ ଜଳସ୍ତର ଆଜି ରାତିରେ ୩୮.୭୫ମିଟରକୁ ଛୁଇଁପାରେ। ସେହିଭଳି ଆଖୁଆପଦାରେ ଆସନ୍ତାକାଲି ବିପଦ ସଙ୍କେତ ଠାରୁ ପାଖାପାଖି ଦେଢ ମିଟର ଅର୍ଥାତ୍ ୧୯.୨ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେବ। ଏହାର ପ୍ରଭାବରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘସିପୁରା, ହାଟଡିହି ବ୍ଲକ, ଯାଜପୁରର କୋରେଇ, ଯାଜପୁର ସଦର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ଲୋକେ ପ୍ରଭାବିତ ହେବେ। ସେହିଭଳି ବନ୍ୟା କାରଣରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ବ୍ଲକ ଓ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାରେ ବି ପାଣି ପଶିପାରେ।
ଏସବୁ ଅଞ୍ଚଳର କ୍ଷେତ୍ର କର୍ମଚାରୀଙ୍କୁ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ସଜାଗ ରହିବାକୁ ଏସ୍ଆର୍ସି ନିର୍ଦେଶ ଦେଇଛନ୍ତି । ବିଶେଷକରି ନଦୀବନ୍ଧର ଦୁର୍ବଳ ତଥା ସମ୍ବେଦନଶୀଳ ଅଞ୍ଚଳ, କେନାଲ ବନ୍ଧ ଉପରେ ସେମାନେ ସତର୍କ ଦୃଷ୍ଟି ରଖିବା ଲାଗି କୁହାଯାଇଛି । ଶ୍ରୀ ସେଠୀ କହିଛନ୍ତି, ଯଦି କେଉଁଠାରେ ପାଣି ପଶେ, ତେବେ ସେଠାରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ଦରକାର । ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖିବା ଲାଗି କୁହାଯାଇଛି । ସେଥିପାଇଁ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଭିନ୍ନ ପାଓ୍ଵାର ବୋଟ୍ ଓ ଦେଶୀ ଡଙ୍ଗା ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।