କନକ ବ୍ୟୁରୋ : ଆସନ୍ତା ମାସରୁ ଘରୋଇ ତଥା ଆନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ଆଦାୟ ହେଉଥିବା ବିମାନ ସୁରକ୍ଷା ଶୁଳ୍କ (ଏଏସଏଫ) ବୃଦ୍ଧି ପାଇବ | ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି | ସେପ୍ଟେମ୍ବର ୧ରୁ ଏହି ନିୟମ ଲାଗୁ ହେବ | ବର୍ତ୍ତମାନ ଘରୋଇ ଯାତ୍ରୀଙ୍କଠାରୁ ଏଏସଏଫ ପାଇଁ୧୫୦ ଟଙ୍କା ଆଦାୟ କରାଯାଉଥିବା ବେଳେ ସେପ୍ଟେମ୍ବର ୧ରୁ ଏହା ୧୬୦ ଟଙ୍କାକୁ ବୃଦ୍ଧି ପାଇବ | ଏହା ସହ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ୪.୮୫ ଡଲାର ଥିବା ବେଳେ ସେପ୍ଟେମ୍ବର ୧ରୁ ଏହାକୁ ୫.୨ ଡଲାରକୁ ବୃଦ୍ଧି କରାଯିବ। ଘରୋଇ ତଥା ଆନ୍ତର୍ଜାତୀୟ ଟିକେଟ୍ ଉପରେ ବର୍ଦ୍ଧିତ ଏଏସଏଫ ଆସନ୍ତା ମାସ ତଥା ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି |
ସୂଚନା ମୁତାବକ, ବିଭିନ୍ନ ବିମାନ କମ୍ପାନି ଦ୍ୱାରା ଯାତ୍ରୀଙ୍କଠାରୁ ଏଏସଏଫ ଫି ଆଦାୟ କରାଯାଏ, ଯାହା ପରେ ସରକାରଙ୍କୁ ଦିଆଯାଏ | ଏଏସଏଫ ଶୁଳ୍କରୁ ମିଳିଥିବା ଅର୍ଥ ଭାରତର ବିମାନବନ୍ଦରଗୁଡିକର ସୁରକ୍ଷା ପାଇଁ ବ୍ୟବହୃତ ହୁଏ |
ମାର୍ଚ୍ଚ ୨୩ରୁ କରୋନାଭାଇରସ୍ ମହାମାରୀ ହେତୁ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣକୁ ସ୍ଥଗିତ କରିଥିଲା ଭାରତ | ମେ’ ୨୫ରେ ଘରୋଇ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭକୁ ଅନୁମତି ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା ଆରମ୍ଭ ହୋଇପାରିନାହିଁ |
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/t-121-750x430.jpg)