କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟରେ ୧୫ ଆବେଦନ ଦାଖଲ କରାଯାଇଥିଲା । ଅକ୍ଟୋବର ପହିଲାରୁ ପାଞ୍ଚ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସର୍ବୋଚ୍ଚ ନ୍ୟାୟାଳୟ ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ଜମ୍ମୁ-କାଶ୍ମୀର ପ୍ରଶାସନକୁ ନୋଟିସ୍ ଜାରି କରିଛନ୍ତି । ଏହାସହ ଜମ୍ମୁକାଶ୍ମୀରରେ ମିଡିଆର ସ୍ୱାଧୀନତାକୁ ନେଇ ମଧ୍ୟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଆଗାମୀ ୭ଦିନ ଭିତରେ କୋଟିସର ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।
ଅନ୍ୟପଟେ ଜାମ୍ମୁକାଶ୍ମୀର ଯିବାକୁ ସିପିଏମ ନେତା ସୀତାରାମ ୟେଚୁରୀଙ୍କୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କୌଣସି ବିରୋଧୀ ଦଳର ରାଜନେତାକଙ୍କୁ ଜାମ୍ମୁକାଶ୍ମୀର ଯିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ସୀତାରାମ ତାଙ୍କ ଦଳର ବିଧାୟକ ତାରିଗାମଙ୍କୁ କେବଳ ଭେଟିବାକୁ ଅନୁମତି ଦେଇଛନ୍ତି କୋର୍ଟ । କହିଛନ୍ତି ଜାମ୍ମୁକାଶ୍ମୀରରେ ସୀତାରାମ କେବଳ ତାରିଗାମଙ୍କୁ ଭେଟି ଅନ୍ୟ କାହାକୁ ଭେଟିବେ ନାହିଁ ।
ଜମ୍ମୁକାଶ୍ମୀରର ପୂର୍ବତନ ସିପିଏମ ବିଧାୟକ ତାରିଗାମଙ୍କୁ ଭେଟିବାକୁ ଯିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ ସୀତାରାମ । କୋର୍ଟରେ ସୀତାରାମଙ୍କ ଓକିଲ କହିଛନ୍ତି ଧାରା ୩୭୦ ଉଛେଦ ହେବା ପରେ ସେ ତାଙ୍କ ବନ୍ଧୁ ତାରିଗାମଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ହୋଇପାରିନାହିଁ । ବିରୋଧୀ ଦଳ ନେତା ଘାଟିକୁ ଗଲେ ଉତେଜନା ପ୍ରକାଶ ପାଇବା ଆଶଙ୍କା କରି ସେଠାକୁ କାହାକୁ ଯିବାକୁ ଅନୁମତି ଦେଉନାହାଁନ୍ତି ମୋଦି ସରକାର । ଏପରିକି ରାହୁଲ ଗାନ୍ଧିଙ୍କ ସମେତ ଏକ ୧୨ ଜଣିଆ ପ୍ରତିନିଧି ଦଳଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦେଇଥିଲା ଜାମ୍ମୁ ପ୍ରଶାସନ । ଏହାକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା କରିଥିଲେ ।