ମହିଳାଙ୍କ ସୁରକ୍ଷାକୁ ନେଇ କମିସନରେଟ୍ ପୁଲିସ ଗୁରୁତ୍ବାରୋପ : ବସରେ ମହିଳାଙ୍କ ସିଟରେ ବସିଲେ ଜରିମାନା, ଅସଦାଚରଣ ଅଭିଯୋଗ ପାଇଁ ଜାରି ହେବ ସ୍ବତନ୍ତ୍ର ଫୋନ୍ ନମ୍ବର

Advertisment
ମହିଳାଙ୍କ ସୁରକ୍ଷାକୁ ନେଇ କମିସନରେଟ୍ ପୁଲିସ ଗୁରୁତ୍ବାରୋପ : ବସରେ ମହିଳାଙ୍କ ସିଟରେ ବସିଲେ ଜରିମାନା, ଅସଦାଚରଣ ଅଭିଯୋଗ ପାଇଁ ଜାରି ହେବ ସ୍ବତନ୍ତ୍ର ଫୋନ୍ ନମ୍ବର

କନକ ବ୍ୟୁରୋ : ଘରୋଇ ଓ ସରକାରୀ ବସ୍‌ରେ ମହିଳା ଯାତ୍ରୀମାନେ ଯେଭଳି ଅସଦାଚରଣର ଶିକାର ହେବେ ନାହିଁ, ସୁରକ୍ଷିତ ଯାତ୍ରା କରିବେ ତା’ ଉପରେ କମିସନରେଟ୍‌ ପୁଲିସ ଗୁରୁତ୍ବାରୋପ କରିଛି। ଏଥିପାଇଁ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଘରୋଇ ବସ୍‌ ମାଲିକ ସଂଘ ଓ ସରକାରୀ ବସ୍‌ (ମୋ ବସ୍‌) ପରିଚାଳନା କରୁଥିବା କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପୁଲିସ ସେବା ଭବନ ପରିସରରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅଧିକାଂଶ ସମୟରେ ମହିଳାମାନେ ବସ୍‌ରେ ଛିଡ଼ା ହୋଇ ଯାଉଥିବାରୁ ଅସଦାଚରଣର ସମ୍ଭାବନା ରହୁଛି । ଏଣୁ ମହିଳାମାନେ ଯାତ୍ରା କଲା ବେଳେ ଯେଭଳି ବସିକି ଯିବେ, ତାହା ନିଶ୍ଚିତ କରାଯିବା ଦିଗରେ ଗୁରୁତ୍ବ ଦିଆଯାଇଥିଲା । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ପୁରୁଷମାନେ ବସିଲେ ଏଥର ଜରିମାନା ଦେବାକୁ ପଡ଼ିବ । ଏ ଦିଗରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ବସ୍‌ରେ ଅସଦାଚରଣର ଶିକାର ହେଉଥିବା ମହିଳାଙ୍କ ପାଇଁଏକ ସ୍ବତନ୍ତ୍ର ଫୋନ୍‌ ନମ୍ବର ଜାରି କରାଯିବ । ମହିଳାମାନେ ସେହି ନମ୍ବରରେ ଯୋଗାଯୋଗ କଲେ ତୁରନ୍ତ ସହାୟତା ପାଇପାରିବେ।

ସେହି ନିର୍ଦ୍ଦିଷ୍ଟ ଫୋନ୍‌ ନମ୍ବର ସମସ୍ତ ବସ୍‌ରେ ଦେଖି ପାରିବା ଭଳି ସ୍ଥାନରେ ଲେଖାଯିବ । ଏହି ନମ୍ବର ମଧ୍ୟ ଖୁବ୍‌ଶୀଘ୍ର ଯାତ୍ରୀଙ୍କ ସୂଚନା ପାଇଁ ପ୍ରଦାନ କରାଯିବ। ଅନେକ ସମୟରେ ଫୋନ୍‌ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ହ୍ବାଟ୍‌ସ୍‌ ଆପ୍‌ ଜରିଆରେ କିମ୍ବା ମେସେଜ୍‌ କରିବା ପାଇଁ ଏକ ମୋବାଇଲ ନମ୍ବର ମଧ୍ୟ ଜାରି କରାଯିବ। ଯୋଗାଯୋଗର ଅସୁବିଧା ହେଲେ ମହିଳାଯାତ୍ରୀ ଫୋନ୍‌ରେ କଥା ନ ହୋଇ ଏହି ନମ୍ବରରେ ଏସ୍‌ଏମ୍‌ଏସ୍‌ ବା ହ୍ବାଟ୍‌ସ୍‌ ଆପ୍‌ରେ ସୂଚନା ଦେଇପ‌ାରି‌ବେ। ଅଭିଯୋଗ ପାଇବା କ୍ଷଣି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମହିଳାଯାତ୍ରୀଙ୍କୁ ଅସଦାଚରଣ ସମ୍ଭାବନା ଘରୋଇ ବସ୍‌ରେ ଅଧିକ ରହିଛି। ଏଣୁ ନିକଟ ଭବିଷ୍ୟତରେ ଜାରି ହେବାକୁ ଥିବା ମୋବାଇଲ ନମ୍ବର ଓ ଲ୍ୟାଣ୍ଡ ଲାଇନ୍‌ ନମ୍ବର ସବୁ ବସ୍‌ରେ ସମସ୍ତେ ଦେଖି ପାରିବା ଭଳି ସ୍ଥାନରେ ଲେଖାଯିବ। ଏହା ଯେପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ସେ ନେଇ ବସ୍‌ ମାଲିକମାନେ ନିଶ୍ଚିତ କରିବେ। କଣ୍ଡକ୍ଟରମାନେ ବି ଯେପରି ସମସ୍ତଙ୍କ ପ୍ରତି ଭଲ ବ୍ୟବହାର କରିବେ, ମଦ୍ୟପାନ କରି ଡ୍ୟୁଟି କରିବେ ନାହିଁ, ମହିଳାଯାତ୍ରୀଙ୍କୁ ଯଥା ସମ୍ଭବ ବସାଇବାକୁ ଉଦ୍ୟମ କରିବେ ସେ ନେଇ ଘରୋଇ ବସ୍‌ ମାଲିକମାନେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe