ତାଲାବନ୍ଦ ଦୋହଲାଇ ଦେଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଓଡିଶାର ୩୬ ପ୍ରତିଶତ ଲୋକଙ୍କ ଜୀବିକା ଉପରେ ପଡିପାରେ ପ୍ରଭାବ । ଚାକିରୀ, ନିଯୁକ୍ତି ଅନୁଧ୍ୟାନ କରି ଜାତୀୟ ଜାତୀୟ ଗଣମାଧ୍ୟମରେ ଆସିଲା ସର୍ଭେ ରିପୋର୍ଟ 

289

କନକ ବ୍ୟୁରୋ : କରୋନାର ଯାତନା । ଆଗକୁ ରାଜ୍ୟର ୩୬ ପ୍ରତିଶତ ଏବଂ ଉତରପ୍ରଦେଶର ୪୫ ପ୍ରତିଶତ ଲୋକଙ୍କ ଆର୍ଥିକ ସ୍ଥିତି ଅତି ଖରାପ ହୋଇଯିବ । ମହାମାରୀ କରୋନା ସମୟରେ ଆର୍ଥିକ ସ୍ଥିତି, ନିଯୁକ୍ତି , ଶ୍ରମିକଙ୍କ ପଳାୟନ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଓଡିଶା , ଉତରପ୍ରଦେଶରେ ବର୍ତମାନ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧାକୁ ନେଇ ଅନୁଧ୍ୟାନ କରି ଏପରି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସିଛି । ଓଡିଶାରେ ଅତି କମରେ ୫୩ ପ୍ରତିଶତ ଲୋକ ଆସନ୍ତା ୬ ମାସ ଭିତରେ ଚାକିରୀ ବା କର୍ମନିଯୁକ୍ତିକୁ ଫେରିବା ନେଇ ଆଶାବାଦୀ ଅଛନ୍ତି । ଉତରପ୍ରଦେଶରେ ଏହି ହାର ୩୩ ପ୍ରତିଶତ ରହିଛି ।

ନୂଆଦିଲ୍ଲୀ ସ୍ଥିତ ନାସନାଲ କାଉନସିଲ୍ ଅଫ୍ ଆପଲାଏଡ ଇକୋନୋମିକ୍ ରିସର୍ଚ ଏବଂ ନୋସାଲ୍ ଇନଷ୍ଟିଚ୍ୟୁଟ୍ ଫର ପବ୍ଲିକ୍ ହେଲଥ ଆଟ୍ ୟୁନିଭର୍ସିଟି ଅଫ୍ ମେଲବୋର୍ଣ୍ଣ ସହିତ ପଲିସି ଥିଙ୍କଟ୍ୟାଙ୍କ୍ର ମିଳିତ ସହଯୋଗରେ ଟେଲିଫୋନିକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଦୁଇ ରାଜ୍ୟର ପ୍ରାୟ ୨ ହଜାର ୬୮ ଟି ପରିବାରକୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ଉତରପ୍ରଦେଶ ଏବଂ ଓଡିଶାର ୪ଟି ଜିଲ୍ଲାକୁ ଏଥିପାଇଁ ଚୟନ କରାଯାଇଥିଲା । ଦେଶରେ ତାଲାବନ୍ଦ ଉଠିବା ପରେ ପରେ ଜୁନ୍ ୯ରୁ ୧୮ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।

ଦୁଇ ରାଜ୍ୟର ୯୫ ପ୍ରତିଶତ ପରିବାର ସରକାରଙ୍କ ତାଲାବନ୍ଦକୁ ସମର୍ଥନ କରିଥିଲେ ଏବଂ ୯୨ ପ୍ରତିଶତ ଲୋକ ସରକାର କରୋନା ୧୯ କୁ ମୁକାବିଲା କରିବାରେ ସଫଳ ହେବେ ବୋଲି ଭରସା କରିଥିଲେ । ତାଲାବନ୍ଦ ସମୟରେ ବିଶେଷ କରି ଅଣକୃଷି ଶ୍ରମିକ ବିଶେଷ ସମସ୍ୟାର ଶିକାର ହୋଇଥିଲେ । ଓଡିଶାରେ ୩୦ ପ୍ରତିଶତ ଏବଂ ଉତର ପ୍ରଦେଶରେ ୨୭ ପ୍ରତିଶତ ଶ୍ରମିକଙ୍କ ହାତରୁ କାମ ଚାଲିଯାଇଥିଲା । ଏହି ସମୟରେ ଜୀବନ ବଂଚାଇ ରଖିବାକୁ ଅନେକ ପରିବାର ବୃତି ବଦଳାଇ ଦେଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଦୁଇ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଶ୍ରମିକଙ୍କ ବୃତି ଗତ ରୋଜଗାର ପ୍ରଭାବିତ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

୧୧ ପ୍ରତିଶତ ଲୋକ ନିଜର ରୋଜଗାର ମାଧ୍ୟମକୁ ତାଲାବନ୍ଦରେ ବଦଳାଇ ଦେଇଛନ୍ତି । ୨୯ ପ୍ରତିଶତ ଲୋକଙ୍କ ପୁରା ରୋଜଗାର ରାସ୍ତା ପୁରା ଚାଲିଯାଇଛି । ଏହି ସର୍ଭେ ଅନୁସାରେ ଓଡିଶାରେ ୮୧ ପ୍ରତିଶତ ଏବଂ ୟୁପିରେ ୭୭ ପ୍ରତିଶତ ଲୋକଙ୍କର କରୋନା ମାଡରେ ରୋଜଗାର ହ୍ରାସ ହୋଇଯାଇଛି । ତେବେ ସରକାରୀ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ବିଶେଷ ଦେଖିବାକୁ ମିଳିନି । ଏହି ସମୟରେ ଓଡିଶାର ୫୯ ଦଶମିକ ୩ ପ୍ରତିଶତ ଏବଂ ୟୁପିରେ ୫୨ ପ୍ରତିଶତ ଲୋକଙ୍କ ସଂଚୟ ସରିଯାଇଛି । ଏହି ସମୟରେ ସେମାନେ ନିଜର ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହୋଇଥିବା ଜଣାପଡିଛି ।

ତେବେ ତାଲାବନ୍ଦ ଉଠିବା ପରେ ଓଡିଶାରେ ୭୫ ପ୍ରତିଶତ ଏବଂ ୟୁପିରେ ୪୬ ପ୍ରତିଶତ ଲୋକଙ୍କ ପୁରା ରୋଜଗାର ଚାଲିଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଥିବା କୁହାଯାଇଛି  ।