ଶୁଣିଲାନି ପ୍ରଶାସନ ! ଚାଉଳ ଓ ୧୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି କାଠପୋଲ ତିଆରି କଲେ ଗ୍ରାମବାସୀ

80

କନକ ବ୍ୟୁରୋ : ଘର ପିଛା ଏକ ଗ୍ଲାସ ଚାଉଳ ଓ ୧୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗ୍ରାମବାସୀ । ପ୍ରଶାସନ ନଶୁଣିଲା ନାହିଁ ନିଜ ଉଦ୍ୟମରେ ପୋଲ କରି, ନଦୀ ପାର ହୋଇ ବ୍ଲକ କାର୍ଯ୍ୟାଳୟରେ ପହଂଚୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ୩ ପଂଚାୟତର ଆଦିବାସୀ ମଣିଷ ।

ନିଜ ଶ୍ରମରେ ଫୁଲବାଣୀ ବଡସାଙ୍କୁଲୀ ନଦୀ ଉପରେ ପୋଲି ତିଆରି କରୁଛନ୍ତି ୧୬ଟି ଗାଁର ମଣିଷ । ଚଳିତ ବର୍ଷ ବନ୍ୟାରେ ପୁରୁଣା ପୋଲ ଧୋଇ ଯିବା ପରେ ପୁଣି ପୋଲ ତିଆରି କରିଛନ୍ତି ଲୋକ । ଫୁଲବାଣୀ ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଆଲାମୀ, ଦଡିକି ଓ ଜୁଡୁକି ପଂଚାୟତ । ଫୁଲବାଣୀ ଆସିବାକୁ ହେଲେ ଏହି ୩ ପଂଚାୟତର ୧୬ଟି ଗାଁର ଲୋକଙ୍କୁ ବଡସାଙ୍କୁଲୀ ନଦୀ ପାରି ହେବାକୁ ପଡେ ।

ତେବେ ପୋଲ ଉପରେ ସ୍ଥାୟୀ ପୋଲଟିଏ ପାଇଁ ବାରମ୍ବାର ଗୁହାରି କରି ନିରାସ ହେବା ପରେ ନିଜ ଶ୍ରମ ଓ ଅର୍ଥରେ ବାଉଁଶ ଓ କାଠ ସାହାଯ୍ୟରେ ପୋଲ ନିର୍ମାଣ କରିଛନ୍ତି । ଏହି ପୋଲ ଦେଇ ଲୋକେ ଡାକ୍ତରଖାନା, ସ୍କୁଲ ଓ କଲେଜ ଯିବା ଆସିବା କରୁଛନ୍ତି । ଚଳିତବର୍ଷ ଗ୍ରାମବାସୀଙ୍କ କାମରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି ନଦୀ ଯାଏଁ ଆପ୍ରୋଚର ରୋଡ ତିଆରି କରିବେ ବୋଲି ଫୁଲବାଣୀ ବ୍ଲକ ବିଡିଓ କହିଛନ୍ତି ।