ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ । ମଦ୍ୟପାନ କରି ସାମାନ୍ୟ ବଚସାକୁ ହତ୍ୟାକାଣ୍ଡ । ଅଭିଯୁକ୍ତ ଥାନାରେ ଅଟକ

382

କନକ ବ୍ୟୁରୋ : ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଉପରଗଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ୍ୟପାନ କରି ସାମାନ୍ୟ ବଚସାକୁ ନେଇ ହୋଇଛି ହତ୍ୟାକାଣ୍ଡ । ନିଜ ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ବାପା। ଗତକାଲି ରାତ୍ରର ଏଭଳି ଘଟଣା କୁ ନେଇ ଉପରଗଡି ଗ୍ରାମରେ ଶୋକର ବାତାବରଣ ଲାଗିରହିଛି ।

ଉପରଗଡି ଗ୍ରାମର କୃଷ୍ଣ ମାଝୀ (୨୦) ଏବଂ ବାପା ମାଧବ ମାଝୀ (୫୨) ଗତକାଲି ରାତ୍ରରେ ମଦ୍ୟପାନ କରିଥିଲେ । ଖାଇ ସାରିବା ପରେ କୃଷ୍ଣ ମାଝୀ ନିଜ ମା ମୁକ୍ତା ସହ ଝଗଡା କରୁଥିଲା ! ଏହି ସମୟରେ ବାପା ପୁଅ କୃଷ୍ଣକୁ ତାଗିଦ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ମାଧବ ନିଜ ଜନ୍ମକଲା ପୁଅ କୃଷ୍ଣକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଖାତିଗୁଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି । ଏନେଇ ଖାତିଗୁଡ଼ା ଥାନାରେ କେଶ ନମ୍ବର ୪୦/୨୦୨୦ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ମୃତକର ଶବ ଜବତ କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।