କଳା ତାଲିକାଭୁକ୍ତ ପାକିସ୍ତାନ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣା ରୋକିବାରେ ଏଫଏଟିଏଫ୍ ମାନଦଣ୍ଡରେ ଫେଲ୍ ଇମ୍ରାନ୍ ସରକାର

738

କନକ ବ୍ୟୁରୋ : ପାକିସ୍ତାନକୁ ବଡ଼ ଝଟକା । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଇମ୍ରାନ୍ ସରକାରଙ୍କୁ ଦେଶବାସୀଙ୍କ ଅପେକ୍ଷା ଆତଙ୍କବାଦୀ ପ୍ରେମ ଅଧିକ । ଦେଶ ପଛେ ଚୁଲିକୁ ଯାଉ, ହେଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଜାରି ରହୁ । ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଥିବା ପାକିସ୍ତାନ ତାକୁ ମହଙ୍ଗା ପଡ଼ିଛି । ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଆର୍ଥିକ ଦୁର୍ନୀତି ପ୍ରତିରୋଧ ପାଇଁ ଥିବା ଅନୁଷ୍ଠାନ୍ ଏଫଏଟିଏଫ୍ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିଛି । ପାକିସ୍ତାନ ଏଫଏଟିଏପ ଗ୍ରୁପର ସମସ୍ତ ମାନଦଣ୍ଡରେ ଫେଲ ମାରିଛି ।

ରିପୋର୍ଟ ଅନୁସାରେ ପାକିସ୍ତାନ ଆଇନ୍ ଓ ଆର୍ଥିକ ପ୍ରଣାଳୀ ପାଇଁ ହୋଇଥିବା ୪୦ ମାନକ ମଧ୍ୟରୁ ୩୨ଟି ପୁରା କରିବାରେ ବିଫଳ ହୋଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିବା ମାନକରେ ୧୧ଟି ମାପଦଣ୍ଡରୁ ୧୦ଟି ପୁରା କରିବାରେ ବି ବିଫଳ ହୋଇଛି । ଆଉ ଏଥିପାଇଁ ପାକିସ୍ତାନ ଅକ୍ଟୋବରରୁ କଳା ତାଲିକାଭୁକ୍ତ ହୋଇପାରେ । କାରଣ ଏଫଏଟିଫର ୨୭ ପଏଣ୍ଟ ଆକ୍ସନ ପ୍ଲାନକୁ ୧୫ ମାସର ସମୟସୀମା ଚଳିତ ବର୍ଷ ଅକ୍ଟୋବରରେ ଶେଷ ହେଉଛି ।

ଫରାସୀ ଭାଷାରେ ‘ଗ୍ରୁପ୍ ଡି’ଆକ୍ସନ୍ ଫିନାସିଏର୍’ ଭାବେ ଜଣା ‘ଏଫ୍ଏଟିଏଫ୍’ର ‘ଏପିଜି’ ବୈଠକ ଅଷ୍ଟ୍ରେଲିଆର କାନବେରାରେ ଅନୁଷ୍ଠିତ ହୋଇଥିଲା । ଏବଂ ଦୁଇ ଦିନ ଧରି ସାତ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ଆଲୋଚନା କରାଯାଇଥିଲା । ଜୁନ୍ ମାସରେ ‘ଏଫ୍ଏଟିଏଫ୍’ର ବୈଠକରେ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା କି, ଯଦି ସେ ଆତଙ୍କବାଦକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣ କରି ନ ପାରେ, ତାକୁ କଳାତାଲିକାଭୁକ୍ତ କରାଯିବ ।